ଲେବାନନର ରାଜଧାନୀ ବିରୁଟରେ ଭୟଙ୍କର ବିସ୍ଫୋରଣ, ଶତାଧିକ ମୃତାହତ ଆଶଙ୍କା

ବିରୁଟ : ଲେବାନନର ରାଜଧାନୀ ବିରୁଟରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟି ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ସମଗ୍ର ବିରୁଟ ଥରି ଉଠିଥିଲା ଓ କିଛି କିଲୋମିଟର ପର୍ଯ୍ୟନ୍ତ  ଘରର ଝରକା କବାଟର କାଚ ଭାଙ୍ଗିଯାଇଥିଲା ।
ଏ ପର୍ଯ୍ୟନ୍ତ ମୃତାହତଙ୍କ ଆକଳନ କରାଯାଇ ନଥିଲେ ମଧ୍ୟ ଲେବାନନ ସମ୍ବାଦପତ୍ର ଡେଲି ଷ୍ଟାରର ଅନୁସାରେ ଏହି ବିସ୍ଫୋରଣରେ ପ୍ରାୟ ୧୦ଜଣ ଲୋକ ପ୍ରାଣହରାଇଛନ୍ତି । ଆହତଙ୍କ ସଂଖ୍ୟା କିଛି ଶହ ହୋଇପାରେ ।

ସହରର ବନ୍ଦର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି, ଯେଉଁଠାରେ ଗୋଦାମ ଗୃହରେ ବିସ୍ଫୋରକ ସାମଗ୍ରୀ ରହିଥିଲା। ଲେବାନନର ସରକାରୀ ସମ୍ବାଦ ସରବରାହ ସଂସ୍ଥା କହିଛି ଯେ ଏହି ଅଞ୍ଚଳରେ କେମିକାଲ୍ସ ବି ଗଚ୍ଛିତ ରହିଛି।

ଅନ୍ୟପକ୍ଷରେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ଏହା ଆତଙ୍କବାଦୀ କାର୍ଯ୍ୟକଳାପ କି ନା ତାହା ସ୍ପଷ୍ଟ ହୋଇନାହିଁ । କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏକ ଗ୍ୟାସ ଗୋଦାମରେ ନିଆଁ ଲାଗି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ସ୍ଥଳରେ ପ୍ରବଳ କ୍ଷୟକ୍ଷତି ହେବା ସହ କୋଠାବାଡ଼ି ଭାଙ୍ଗିଯାଇଛି । ବିରୁଟର ବନ୍ଦର ନିକଟରେ ଏହି ବିସ୍ଫୋରଣ ଘଟିଛି । ସମଗ୍ର ବିରୁଟ ନଗରୀ ଏକ ଯୁଦ୍ଧ ବିଧ୍ୱସ୍ତ ଅଞ୍ଚଳ ପରି ଲାଗୁଛି ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଘଟଣାରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିବା ଲେବାନନର  ସ୍ୱାସ୍ଥ୍ୟମନ୍ତ୍ରୀ ରଏଟର୍ସକୁ କହିଛନ୍ତି। ଶତାଧିକ ଆହତ ହୋଇଥିବା ଅଲ ମାୟାଦିନ ଟିଭି କହିଛି। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ବନ୍ଦର ନିକଟରେ ପ୍ରଥମେ ଘନ ଧୂସର ଧୂଆଁ ଦେଖିଥିଲେ ଏବଂ ପରେ ବିସ୍ଫୋରଣ ଶୁଣି ନିଆଁ ଏବଂ କଳା ଧୂଆଁ ଦେଖିଥିଲେ।

ସମ୍ବନ୍ଧିତ ଖବର