ବିରୁଟ୍ : ଗତ ମଙ୍ଗଳବାର ଲେବାନନ ରାଜଧାନୀ ବିରୁଟ୍ର ଏକ ବନ୍ଦର ନିକଟରେ ଘଟିଥିବା ଭୟାବହ ବିସ୍ଫୋରଣର ଦୃଶ୍ୟ ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ଏହି ବିସ୍ଫୋରଣ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଭିଡିଓରେ ବିସ୍ଫୋରଣ କେତେ ଭୟାବହ ଥିଲା, ତାହାର ଆକଳନ କରାଯାଇ ପାରୁଛି। ଏହି ଦୁର୍ଘଟଣାରେ ପ୍ରାୟ ୧୩୫ଜଣ ପ୍ରାଣ ହରାଇଥିବା ବେଳେ ୫,୦୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବାର ଖବର ମିଳିଛି। ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଦୁର୍ଘଟଣା ସମୟର ଉଠା ଯାଇଥିବା ଜଣେ ନର୍ସଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ନର୍ସଙ୍କ କାମ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତିି।

ଏହି ହୃଦୟସ୍ପର୍ଶୀ ଫଟୋକୁ ସାମ୍ବାଦିକ ବିଲାଲ୍ ମାରି ଜଇସ୍ ସେୟାର କରି କହିଛନ୍ତି, ମୁଁ ଦୀର୍ଘ ୧୬ବର୍ଷ ହେବ ପ୍ରେସ୍ ପାଇଁ ଫଟୋଗ୍ରାଫି କରି ଆସୁଛନ୍ତି। ଅନେକ ଯୁଦ୍ଧକୁ ମୁଁ କଭର କରିଛି। କିନ୍ତୁ ଅଲ୍ ରୋମ୍ ତଥା ସେଣ୍ଟ ଜର୍ଜ ୟୁନିଭର୍ସିଟି ହସ୍ପିଟାଲ୍ରେ ଯେଭଳି ଘଟଣା ଘଟିଥିଲା ସେଭଳି ଦୃଶ୍ୟ ମୁଁ କେବେ ଦେଖି ନ ଥିଲି। ସେଠାରେ ଜଣେ ନର୍ସ ତିନିଜଣ ନବଜାତଙ୍କୁ ଛାତିରେ ଜାବୁଡ଼ି ଧରି ସ୍ତନ୍ୟପାନ କରାଇ ସାହାଯ୍ୟ ପାଇଁ ଫୋନ୍ ଲଗାଉଥିଲେ । ନବଜାତଙ୍କୁ ସ୍ତନ୍ୟପାନ କରାଉଥିବା ବେଳେ ନର୍ସଙ୍କର ଆଖପାଖର ଦୃଶ୍ୟ ଥିଲା ଅତି ଭୟଙ୍କର । ନର୍ସଙ୍କ ଚାରିପାର୍ଶ୍ୱରେ ରକ୍ତାକ୍ତ ମୃତଦେହ ପଡ଼ିଥିବା ବେଳେ ଅନେକ ଲୋକେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ସେଣ୍ଟ ଜର୍ଜ ହସ୍ପିଟାଲ ୟୁନିଭର୍ସିଟି ମେଡିକାଲ ସେଣ୍ଟର ଲେବାନନର ସବୁଠାରୁ ପୁରୁଣା ମେଡିକାଲ ମଧ୍ୟରୁ ଗୋଟିଏ। ତେବେ ଏହି ବିସ୍ଫୋରଣରେ ହସ୍ପିଟାଲକୁ ଅନେକ କ୍ଷତି ପହଞ୍ଚିଛି।
ଏହି ଫଟୋ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ତିନିଜଣ ନବଜାତ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ନର୍ସଙ୍କ ଫଟୋ ଦେଖି କେହି ତାଙ୍କୁ ହିରୋଇନ୍ କହୁଥିବା ବେଳେ କିଏ ହିରୋ କହୁଛି ତ ଆଉ କିଏ ପରୀ ବୋଲି ଡାକୁଛନ୍ତି। ସେହିପରି ଆଉ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ନର୍ସଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଭଳି ଭୟାବହ ପରିସ୍ଥିତିରେ ସେ କିପରି ନିଜକୁ ଶାନ୍ତ କରି ତିନିଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରିବାକୁ ପ୍ରୟାସ କରୁଛନ୍ତି ତାହା ବିସ୍ମୟଜନକ।
/sambad/media/post_attachments/wp-content/uploads/2020/08/beirut-lebanon-explosions-1227910278.jpg)
ତେବେ ଗତ ମଙ୍ଗଳବାର ଲେବାନନ ରାଜଧାନୀ ବିରୁଟ୍ର ଏକ ବନ୍ଦରରେ ନିକଟରେ ଘଟିଥିବା ବିଶାଳ ବିସ୍ଫୋରଣ ଗୋଦାମ ଘରେ ରଖାଯାଇଥିବା ଆମୋନିୟମ୍ ନାଇଟ୍ରେଟରେ ନିଆଁ ଲାଗିଯିବାରୁ ଘଟିଥିବା କୁହାଯାଉଛି।