କୋଲ୍‌କାତା: ରାଜ୍ୟ ଶିକ୍ଷାନୀତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ରୁଚିହୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କ୍ଷମା ମାଗନ୍ତୁ ବୋଲି ତୃଣମୂଳ କଂଗ୍ରେସ ଦାବି କରିଛି।

Advertisment

ସୋମବାର ଦିନ ଭାଇରାଲ୍‌ ହୋଇଥିବା ଓ ତୃଣମୂଳର ଅନେକ ନେତା ସେୟାର୍‌ କରିଥିବା ଏକ ଭିଡିଓରେ ସୁକାନ୍ତ ମଜୁମଦାରଙ୍କ ରୁଚିହୀନ ମନ୍ତବ୍ୟ ଶୁଭୁଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମଥୁରାପୁରରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ବାନାର୍ଜୀଙ୍କୁ ଚାପୁଡ଼ା ମାରିବା ଲାଗି ସେ ଜନସାଧାରଣଙ୍କୁ କହୁଛନ୍ତି।

ମମତା ବାନାର୍ଜୀଙ୍କୁ ଆକ୍ଷେପ କରି ମଜୁମଦାର କହୁଛନ୍ତି, ଭଲ ପଢ଼ାପଢ଼ି ନ କରିବା ପିଲାମାନଙ୍କ ଦୋଷ ନୁହେଁ। ପିଲାମାନଙ୍କୁ ମାଡ଼ ମାରିବା ଅପେକ୍ଷା ବରଂ ବାନାର୍ଜୀଙ୍କୁ ଚାପୁଡ଼ା ମାରିବା ଉଚିତ।

ଭାଇରାଲ୍‌ ହୋଇଥିବା ଭିଡିଓରେ ମଜୁମଦାର ବଙ୍ଗଳା ଭାଷାରେ କହୁଛନ୍ତି, ଆପଣମାନଙ୍କ ପିଲାମାନେ ସ୍କୁଲ୍‌ରୁ ଫେରିବା ପରେ କୌଣସି ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାନ୍ତି। ଆପଣମାନେ ସେମାନଙ୍କୁ ଚାପୁଡ଼ା ମାରି ପଚାରୁଛନ୍ତି ଯେ, ସ୍କୁଲ୍‌ରେ କ’ଣ ପଢୁଛ? ପିଲାମାନଙ୍କୁ ଚାପୁଡ଼ା ମାରିବା ପରିବର୍ତ୍ତେ ମମତା ବାନାର୍ଜୀଙ୍କୁ ଚାପୁଡ଼ା ମାରନ୍ତୁ। କାରଣ ସେ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରି ଦେଇଛନ୍ତି।

ଏଭଳି ମନ୍ତବ୍ୟ ଦେଇଥିବାରୁ ତୃଣମୂଳ କଂଗ୍ରେସ ମଜୁମଦାରଙ୍କୁ ତୀବ୍ର ସମାଲୋଚନା କରି କହିଛି ଯେ, ସ‌େ ବାନାର୍ଜୀଙ୍କ ଉପରେ ଆକ୍ରମଣ କରିବାକୁ ଜନତାଙ୍କୁ ଉସୁକାଉଛନ୍ତି। ଏହାକୁ ମହିଳାଙ୍କ ବିରୋଧରେ ଘୃଣ୍ୟ ମନ୍ତବ୍ୟ ବ‌ୋଲି ବିବେଚନା କରି ତୃଣମୂଳ କଂଗ୍ରେସ ମଜୁମଦାରଙ୍କୁ କ୍ଷମା ମାଗିବାକୁ କହିଛି।

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର କହିଛନ୍ତି, ପଶ୍ଚିମବଙ୍ଗ ବିଜେପି ମୁଖ୍ୟଙ୍କ ମନ୍ତବ୍ୟ ଲଜ୍ଜାଜନକ।

ରାଜ୍ୟ ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି, ବିଜେପି ମହିଳାମାନଙ୍କ ପ୍ରତି ଘୃଣା ଓ ଅସମ୍ମାନ ପ୍ରଦର୍ଶନ କରୁଛି।

କ୍ଷୋଭ ପ୍ରକାଶ କରି ତୃଣମୂଳ ସାଂସଦ କାକଳି ଘୋଷ ଦସ୍ତିଦାର କହିଛନ୍ତି, ନେତାମାନେ ଏଭଳି ଭାଷା ପ୍ରୟୋଗ କଲେ ରାଜନୈତିକ ଉଦ୍‌ବୋଧନର ଅବକ୍ଷୟ ଘଟିବା ପରି ଜଣାପଡ଼େ।