ପଶ୍ଚିମବଙ୍ଗ ସରକାରଙ୍କ ନିଷେଧାଦେଶ ଯୋଗୁଁ ଭାରତ ଓ ବାଂଲାଦେଶ ବାଣିଜ୍ୟରେ ବିପୁଳ କ୍ଷତି

ନୂଆଦିଲ୍ଲୀ: ଭାରତ ପଡ଼ୋଶୀ ଦେଶମାନଙ୍କ ପ୍ରତି ଲାଗୁ କରିଥିବା ନିୟମରେ ସମ୍ପ୍ରତି ପଶ୍ଚିମବଙ୍ଗ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ମାର୍ଚ ମାସ ଠାରୁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ପେଟ୍ରୋପୋଲ-ବେନାପୋଲ୍ ସୀମାନ୍ତ ଦେଇ ବାଂଲାଦେଶରୁ ଭାରତକୁ ଆସୁଥିବା ସାମଗ୍ରୀ ଅଟକାଇବାକୁ ନିଷ୍ପତ୍ତି ନେବାରୁ ଦ୍ବିପାକ୍ଷିକ ବାଣିଜ୍ୟରେ ସାଙ୍ଘାତିକ କ୍ଷତି ହୋଇଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ବୁଧବାର ଦିନ ବାଂଲାଦେଶ ମଧ୍ୟ ଭାରତରୁ ବାଂଲାଦେଶ ଯାଉଥିବା କୌଣସି ଟ୍ରକ୍‌କୁ ଛାଡ଼ିବାକୁ ମନା କରିଦେଇଛି।

ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଏପ୍ରିଲ୍-ମେ ମାସରେ ବାଂଲାଦେଶ ସହ ଦ୍ବିପାକ୍ଷିକ ବାଣିଜ୍ୟ ଗତବର୍ଷ ତୁଳନାରେ ୪୨୪ ନିୟୁତ ଡଲାର୍‌କୁ ଖସି ଆସିଛି। ଗତବର୍ଷ ଏହି ସମୟରେ ଦ୍ବିପାକ୍ଷିକ ବାଣିଜ୍ୟ ଥିଲା ପ୍ରାୟ ୨ ବିଲିୟନ୍ ଡଲାର୍। ୨୦୧୯ ବର୍ଷର ପ୍ରଥମ ପାଞ୍ଚ ମାସ‌ରେ ବାଂଲାଦେଶ ସହ ଭାରତ ୪.୧ ବିଲିୟନ୍ ଡଲାର୍ ବ୍ୟବସାୟ କରିଥିବା ବେଳେ ୨୦୨୦ ବର୍ଷର ପ୍ରଥମ ପାଞ୍ଚ ମାସରେ ତାହା ମାତ୍ର ୨.୯ ବିଲିୟନ୍ ଡଲାର୍ ବୋଲି ଜଣାପଡ଼ିଛି।

Image Courtesy of The Indian Express

ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ବାଂଲାଦେଶୀ ବ୍ୟବସାୟୀ ଏବଂ ସରକାର ଦୀର୍ଘ ଦିନ ଧରି ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ପ୍ରତିକ୍ରିୟା ପ୍ରକାଶସ୍ବରୂପ ଜୁଲାଇ ୧ ତାରିଖ ଦିନ ବାଂଲାଦେଶ ଭାରତୀୟ ଟ୍ରକ୍‌ଗୁଡ଼ିକୁ ସୀମାନ୍ତରେ ଅଟାକାଇଛି। କିନ୍ତୁ, ପରେ ବାଂଲାଦେଶ୧୦୬ଟି ଭାରତୀୟ ଟ୍ରକ୍‌ ଛାଡ଼ିବାକୁ ଅନୁମତି ଦେଇଥିଲା।

ସମଗ୍ର ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ ୨୩ ତାରିଖରୁ ପେଟ୍ରାପୋଲ-ବେନାପୋଲ ଦେଇ ଭାରତକୁ ବାଂଲାଦେଶରୁ କୌଣସି ସାମଗ୍ରୀ ଆସିବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉନାହିଁ। ଏପ୍ରିଲ୍ ୨୯ରେ ପଶ୍ଚିମବଙ୍ଗ ସରକାର ଏହି ନିଷେଧାଦେଶ ଉଠାଇବା ପରେ କିଛି ବାଂଲାଦେଶୀ ସାମଗ୍ରୀ ଆସିଥିଲା କିନ୍ତୁ, ଲୋକେ ପ୍ରତିବାଦ କରିବାରୁ ମେ ୨ ତାରିଖରେ ପୁଣି ବନ୍ଦ ହୋଇଗଲା। ପୁଣି ଜୁନ୍ ୭ ତାରିଖରେ ବାଣିଜ୍ୟ ଆରମ୍ଭ ହୋଇଥିଲେ ବି କେବଳ ଭାରତୀୟ ଟ୍ରକ୍ ସବୁ ଏକ ତରଫା ଭାବେ ବାଂଲାଦେଶ ଯାଉଛି। ବାଂଲାଦେଶରୁ କୌଣସି ଟ୍ରକ୍ ଭାରତକୁ ଆସି ପାରୁନାହିଁ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ତ୍ରିପୁରା ଦେଇ ଭାରତକୁ ବାଂଲାଦେଶରୁ କୌଣସି ସାମଗ୍ରୀ ଆସିବାରେ ପ୍ରତିବନ୍ଧକ ନାହିଁ। କିନ୍ତୁ, ଭାରତ-ବାଂଲାଦେଶ ବାଣିଜ୍ୟର ୭୦% ଚାଲେ। ଏପ୍ରିଲ୍ ମାସରେ ଏ ସଂକ୍ରାନ୍ତରେ ଗୃହମନ୍ତ୍ରାଳୟ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଆଦେଶନାମା ଜାରି କରିଥିଲେ। ମାତ୍ର କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ନିଷିଦ୍ଧାଦେଶ ଜାରି କରାଯାଇଥିବା ଦର୍ଶାଇ ପଶ୍ଚିମବଂଗ ସରକାର ତାହା ଟାଳି ଦେଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.