କୋଲ୍‌କାତା: ଥରକୁ ଥର ‘ବିଜେପି’ ଆକ୍ରୋଶର ସରବ୍ୟ ହେଉଥିବା ଆଇ.ଏ.ଏସ୍‌. ଅଫିସର୍‌ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପଦବୀରୁ ହଟାଇ ପର୍ଯ୍ୟଟନ ବିଭାଗକୁ ବଦଳି କରାଯାଇଛି।

Advertisment

ରବିବାର ଦିନ ରାଜଭବନ ତାଙ୍କ ବଦଳି ପାଇଁ ଅନୁରୋଧ କରିବା ସହିତ ତାଙ୍କୁ ତାଙ୍କ କାର୍ଯ୍ୟରୁ ଅବ୍ୟାହତି ଦେଇଥିଲା। ଏ ସଂକ୍ରାନ୍ତରେ ବୁଧବାର ସନ୍ଧ୍ୟାରେ ଗୃହ ବିଭାଗ ଜାରି କରିଥିବା ଆଦେଶରେ ଉଲ୍ଲେଖ ଅଛି, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ‘ଆଇଏଏସ୍‌’ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରାଜ୍ୟପାଳ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରିଛନ୍ତି। ଜନସେବା ପ୍ରତି ଦୃଷ୍ଟି ଦିଆଯାଇ ଏହି ଆଦେଶନାମା ଜାରି କରାଯାଉଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ।

publive-image Image Courtesy of Telegraph India

ସୂଚନା ଯୋଗ୍ୟ ନନ୍ଦିନୀ ଚକ୍ରବର୍ତ୍ତୀ ହେଉଛନ୍ତି ୧୯୯୪ ବ୍ୟାଚ୍‌ ପଶ୍ଚିମବଙ୍ଗ କ୍ୟାଡର୍‌ର ‘ଆଇଏଏସ୍‌’ ଅଫିସର୍‌। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖୁଥିବାରୁ ‘ବିଜେପି’ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ଉପରେ ଅସନ୍ତୁଷ୍ଟ ଥିଲା। ସେଣ୍ଟ୍‌ ଜାଭିୟର୍ସ ୟୁନିଭର୍ସିଟି ଏବଂ ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ଦେବା ବେଳେ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀଙ୍କର ଭୂୟସୀ ପ୍ରଶଂସା କରିଥିଲେ।

‘ବିଜେପି’ ଅଭିଯୋଗ କରୁଥିଲା ଯେ, ‘ଆଇଏଏସ୍‌’ ଚକ୍ରବର୍ତ୍ତୀ ଅନେକ କ୍ଷେତ୍ରରେ ରାଜ୍ୟପାଳଙ୍କୁ ବିଭ୍ରାନ୍ତ କରାଇବା ସହିତ ରାଜଭବନରେ ରାଜ୍ୟ ସରକାରଙ୍କ ‘ଆଜେଣ୍ଡା’ର ପରିଚାଳନା କରୁଛନ୍ତି। ତେଣୁ, ତାଙ୍କୁ ରାଜଭବନରୁ ହଟାଇବା ଲାଗି ସ୍ଥାନୀୟ ‘ବିଜେପି’ ୟୁନିଟ୍‌ ଦାବି କରୁଥିଲା।

ରାଜ୍ୟ ‘ବିଜେପି’ ମୁଖ୍ୟ ସୁକାନ୍ତ ମଜୁମଦାର ମଧ୍ୟ ଶନିବାର ଦିନ ରାଜ୍ୟପାଳ ବୋଷଙ୍କୁ ଭେଟି ନନ୍ଦୀନିଙ୍କୁ ଅଫିସ୍‌ରୁ ହଟାଇବା ପାଇଁ ଅନୁରୋଧ କରିଥିଲେ ବୋଳି କୁହାଯାଉଛି। ଶେଷକୁ ପରିସ୍ଥିତି ଏମିତି ହେଲା ଯେ, ତାଙ୍କୁ ବଦଳି କରିବା ଲାଗି ରାଜ୍ୟପାଳ ବାଧ୍ୟ ହେଲେ।