କୋଲକତା : କୋଲକାତାରେ ବିଜେପି ସଭାପତି ଜେ.ପି.ନଡ୍ଡା ଓ ଅନ୍ୟ ଦଳୀୟ ନେତାମାନଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଆସନ୍ତା ୧୪ ତାରିଖରେ ନୂଆଦିଲ୍ଲୀ ଡକାଇଥିଲେ ମଧ୍ୟ ସେମାନେ ଆସିବାକୁ ମନା କରିଦେଇଛନ୍ତି ।
କେନ୍ଦ୍ର ଗୃହ ସଚିବଙ୍କୁ ଏକ ପତ୍ର ଲେଖି ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ନଡ୍ଡାଙ୍କ ଶୋଭାଯାତ୍ରା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ନଡ୍ଡାଙ୍କୁ ଜେଡ୍ ସୁରକ୍ଷା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଥିଲା । ଉକ୍ତ ଘଟଣାକୁ ରାଜ୍ୟ ପୁଲିସ ଗୁରୁତର ସହ ନେଇଛି । ଏ ଘଟଣାରେ ୩ଟି ମାମଲା ରୁଜ୍ଜୁ କରାଯାଇଛି ଓ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି ।
ଗତକାଲି ଜେ.ପି.ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରିପୋର୍ଟ ଦେବାକୁ ସେ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ମଗାଯାଇଥିଲା ଓ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ସମନ କରାଯାଇଥିଲା ।