କ୍ୟାବିନେଟ୍‌ ସମ୍ପ୍ରସାରଣ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମନ୍ତ୍ରୀଭାବେ ଶପଥ ନେଲେ ୪୩ଜଣ ‘ତୃଣମୂଳ କଂଗ୍ରେସ’ ନେତା

କୋଲ୍‌କାତା: ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରେ ୧୯ଜଣ ରାଜ୍ୟମନ୍ତ୍ରୀଙ୍କ ସମେତ ୪୩ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି। କୋଭିଡ୍‌ କଟକଣା ବାତାବରଣରେ କୋଲ୍‌କାତାସ୍ଥିତ ରାଜଭବନରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ଉପସ୍ଥିତିରେ ବିଧାୟକମାନେ ଶପଥପାଠ କରିଥିଲେ।

ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଶପଥ ଗ୍ରହଣ କରିଥିବା ବେଳେ ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରାଦ ହକିମ୍, ଜ୍ୟୋତିପ୍ରିୟ ମଲ୍ଲିକ, ମଳୟ ଘାତକ, ଅରୂପ ବିଶ୍ବାସ, ଡକ୍ଟର ଶଶୀ ପଞ୍ଜା ଏବଂ ଜାଭେଦ ଅହମଦ୍ ଖାଁଙ୍କ ଭଳି ବରିଷ୍ଠ ବିଧାୟକମାନେ ରାଜଭବନ ପରିସରରେ ଶପଥ ପାଠ କରିଥିଲେ।

Image Courtesy of The Hindu

ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଥମ କ୍ୟାବିନେଟ୍‌ ବୈଠକ କରିବେ। କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ମେ ୫ ତାରିଖ ଦିନ ଶପଥ ପାଠ କରିଥିଲେ।

ସୂଚନାଯୋଗ୍ୟ, ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୯୨ ଆସନରୁ ୨୧୩ଟି ଆସନରେ ବିଜୟୀ ହୋଇ ପୁନର୍ବାର କ୍ଷମତାସୀନ ହୋଇଛି।

କିନ୍ତୁ, ସ୍ବୟଂ ମମତା ବାନାର୍ଜୀ ନନ୍ଦୀଗ୍ରାମ ବିଧାନସଭା ଆସନ‌ରୁ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ‌ହୋଇଛନ୍ତି।

ସମ୍ବନ୍ଧିତ ଖବର