ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ସଦସ୍ୟ ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯେଉଁ କାରଣରୁ ସେ ଆହତ ହୋଇଥିବା ବି ଜଣାପଡ଼ିଛି। ତେବେ ଏହି ଆହତ ସାମାନ୍ୟ ଥିବା ସହିତ ମମତା ବାନାର୍ଜୀ ସୁସ୍ଥ ଥିବା ଅଧିକାରିକ ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ, ମମତା ବନାର୍ଜୀ ଏକ ଜରୁରୀ କାମରେ ବାର୍ଦ୍ଧମାନରୁ କାର ଯୋଗେ କୋଲକାତା ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ସାମ୍ନାକୁ ଆଉ ଏକ ଗାଡ଼ି ଚାଲି ଆସିଥିଲା। ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଅନ୍ୟ ଗାଡ଼ି ସହିତ ତାଙ୍କ ଗାଡ଼ିକୁ ଧକ୍କା ହେବାକୁ ନଦେବା ପାଇଁ ଆକସ୍ମିକ ବ୍ରେକ ମାରିଥିଲେ। ହଠାତ ବ୍ରେକ ମାରିବାରୁ ସୃଷ୍ଟି ହୋଇଥିବା ଝଟକା ହେତୁ ଚାଳକ ଓ ମମତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ସୌଭାଗ୍ୟବଶତଃ ଏହି ଧକ୍କାରେ କାହାରି ବିଶେଷ କିଛି କ୍ଷତି ହୋଇନାହିଁ।
ଗତବର୍ଷ ବି ମମତା ବାନାର୍ଜୀ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ମମତା ଜଲପାଇଗୁଡ଼ିରେ ଏକ ନିର୍ବାଚନ ରାଲିରେ ପହଞ୍ଚିଥିଲେ। ଏହି ରାଲିରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରିବା ପରେ ସେ ବାଗଡୋଗରା ବିମାନ ବନ୍ଦରକୁ ଯାଉଥିଲେ। ଏହି ସମୟରେ ତାଙ୍କ ହେଲିକପ୍ଟର ବୈକୁଣ୍ଠପୁର ଜଙ୍ଗଲ ଉପରେ ଉଡ଼ାଣ ଭରିବା ବେଳେ ପାଗ ଖରାପ ହୋଇ ଯାଇଥିଲା । ସେଠାରେ ପ୍ରବଳ ବର୍ଷା ହେଉଥିବାରୁ ପାଇଲଟ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ମମତା ଆହତ ହୋଇଥିଲେ।