କରୋନାଭାଇସ୍ ସଂକ୍ରମଣ ଉପଚାର ପାଇଁ ପଶ୍ଚିମବଙ୍ଗ ପୁଲିସ ବ୍ୟବହାର କରୁଛନ୍ତି ସୋରିଷ ତେଲ ଓ କାଗେଜିଲେମ୍ବୁ ପାଣି

କ‌ୋଲକାତା: କରୋନାଭାଇରସ୍ ସଂକ୍ରମଣ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର କିଛି ପୁଲିସ କର୍ମଚାରୀ ସୋରିଷ ତେଲ ଓ ଉଷୁମ କାଗେଜିଲେମ୍ବୁ ପାଣି ଏବଂ ଅନ୍ୟାନ୍ୟ ଘରୋଇ ଉପଚାର ବ୍ୟବହାର କରୁଛନ୍ତି। ଏସବୁରୁ ସୁଫଳ ମିଳୁଛି ବୋଲି ମଧ୍ୟ ସେମାନେ କହୁଛନ୍ତି।

ଉତ୍ତର ବଙ୍ଗର ସିଲିଗୁଡ଼ି ପୁଲିସ କମିସନ୍‌ରେଟ୍‌ ଏହି ପରୀକ୍ଷା ସଫଳ ହୋଇଥିବା କଥା ସେମାନେ କହିଛନ୍ତି। ଏଥିରୁ ଅନେକ ପୁଲିସ କର୍ମଚାରୀ ଉପକୃତ ହୋଇଥିବା କଥା ମଧ୍ୟ ସେମାନେ ଦାବି କରୁଛନ୍ତି। ସିଲିଗୁଡ଼ି ପୁଲିସ କମିସନର୍ ତ୍ରିପୁରାରୀ ଅର୍ଥବ ପୁଲିସ କର୍ମଚାରୀଙ୍କୁ ଏହି ଉପଚାର ପାଇଁ ଉପଦେଶ ଦେଇଛନ୍ତି।

ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ଏକ ପତ୍ରରେ ଏହି ଉପଚାର ସଂକ୍ରାନ୍ତରେ ନିମ୍ନମତେ ସୂଚନା ଦିଆଯାଇଛି।

Image Courtesy of Sakshi

ସିଝା ଆଳୁ/ମୁଢ଼ି/ସାଲାଡ୍‌ ଆଦିରେ ଅଧିକ ପରିମାଣର କଞ୍ଚା ସୋରିଷ ତେଲ ପକାଇ ନିୟମିତ ଖାଆନ୍ତୁ।

ଇଅର୍ ବଡ୍ ସାହାଯ୍ୟରେ ଦୈନିକ ତିନି ଥର ନାକପୁଡ଼ାରେ ସୋରିଷ ତେଲ ଲଗାନ୍ତୁ।

ଦୈନିକ ୪/୫ଥର ବାମ୍ଫ ଚିକିତ୍ସା କରନ୍ତୁ।

ଦୈନିକ ୪ ଥର ଉଷୁମ କାଗେଜି ଲେମ୍ବୁ ପାଣି ପିଅନ୍ତୁ।

ଦୈନିକ ୪ ଥର ଉଷୁମ ଲୁଣପାଣିରେ ତଣ୍ଟି ଖଳଖଳ କରନ୍ତୁ।

ଦୈନିକ ହଳଦି ମିଶ୍ରିତ ଦୁଗ୍ଧ ପିଅନ୍ତୁ।

ଥଣ୍ଡା ଓ କାଶ ଉପଚାର ନି‌ମନ୍ତେ ସୋରିଷ ତେଲର ପାରମ୍ପରିକ ଘରୋଇ ଉପଚାର ଏବେ ମଧ୍ୟ ଜନପ୍ରିୟ ହୋଇ ରହିଛି। ସମ୍ପ୍ରତି ସିଲିଗୁଡ଼ି କମିସନ୍‌ରେଟ୍ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଏହି ଉପଚାର ଉପରେ ଗୁରୁତ୍ବାରୋପ କରିଛନ୍ତି।

ପୁଲିସ କମିସନ୍‌ରେଟ୍‌ର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି: ଆମେ ଡାକ୍ତର ନୋହୁଁ। କିନ୍ତୁ, ପିଲା କାଳରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ଘରୋଇ ଉପଚାର ସବୁ ଫଳପ୍ରଦ ହେଉଥିବା କଥା ଆମେ ଦେଖିଛୁ। ସେହି କଥା ହିଁ ଆମେ ସହକର୍ମୀମାନଙ୍କୁ କହୁଛୁ। ଆମେ କରୋନାଭାଇରସ୍ ସହ ଲଢ଼ିବା ତେଣୁ, ଦେହ ସୁସ୍ଥ ରହିବା ଉଚିତ। ଏଥିପାଇଁ ପୁରୁଣାକାଳିଆ ବ୍ୟବସ୍ଥାକୁ ଫେରିବା ଠାରୁ ଭଲ କଥା କ’ଣ ଅଛି?

 

ସମ୍ବନ୍ଧିତ ଖବର