ନାଗରିକ ସଂଶୋଧନ ଆଇନ ଫେରିବା ପଛରେ ବେଙ୍ଗଲ, କେରଳ ଓ ଆସାମ ନିର୍ବାଚନ!

ନୂଆଦିଲ୍ଲୀ: ଆଗକୁ ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ ପୁଡୁଚେରି ଆଦି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିଲା ବେଳେ ଏବେ ନାଗରିକ ସଂଶୋଧନ ଆଇନ(ସିଏଏ) ପୁଣି ଥରେ ଚର୍ଚ୍ଚାକୁ ଫେରିଛି। ଏହାକୁ ଲାଗୁ କରିବା ଲାଗି ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହି ଚାଲିଥିବା ବେଳେ ରାଜ୍ୟ ନିର୍ବାଚନରେ ଜିତିଲେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମଦଳ ଏହାର ବିରୋଧ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ସଂସଦରେ ଏହି ଆଇନ ପାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହା ବିରୋଧରେ ଧାରାବାହିକ ପ୍ରତିବାଦମାନ ଦେଖିବାକୁ ମିଳିଥିଲା। ଏପରିକି ରାଜରାସ୍ତାକୁ ଦୀର୍ଘଦିନ ଧରି ଅବରୋଧ କରି ସିଏଏ ବିରୋଧୀ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଥିବା ଦିଲ୍ଲୀର ସାହିନବାଗ ଇଲାକା କେବଳ କୋଭିଡ୍‌ ଲକ୍‌ଡାଉନ କଟକଣା ବେଳେ ହିଁ ଅବରୋଧମୁକ୍ତ ହୋଇପାରିଥିଲା। ତେବେ ପ୍ରାୟ ଦୀର୍ଘ ବର୍ଷକ ପରେ ପୁଣି ସିଏଏ ଆଲୋଚନା ଗତି ଜୋର ଧରିଛି।

ଏହି ଆଇନର ପ୍ରଣେତା ଭାବେ ବିବେଚିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହେଉଛନ୍ତି ଏହି ଆଇନ ଲାଗୁ ପାଇଁ ଜୋର ଦେଉଥିବା ବିଜେପିର ପ୍ରମୁଖ ନେତା। ଗତ ସପ୍ତାହରେ ପଶ୍ଚିମବଙ୍ଗରେ ଏକ ସମାବେଶକୁ ଉଦ୍‌ବୋଧନ ଦେବା ଅବସରରେ ମହାମାରୀ କୋଭିଡ୍‌ ଯୋଗୁଁ ସିଏଏ ଲାଗୁ ପାଇଁ ଆଇନକାନୁନ ପ୍ରସ୍ତୁତ କରିବା ପ୍ରକ୍ରିୟା ବିଳମ୍ବିତ ହୋଇଗଲା ବୋଲି ଶାହ କହିଥିଲେ। ତେବେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ସରିଗଲା ପରେ ପରେ ସିଏଏ ପ୍ରକ୍ରିୟା ପୁଣି ଆରମ୍ଭ ହେବ ବୋଲି ସେ ଇସାରା କରିଛନ୍ତି। ତେବେ ଭାରତୀୟ ନାଗରିକତା ପାଇଁ ଧର୍ମକୁ ଭିତ୍ତି କରି ଏଥିରୁ ମୁସଲିମ୍‌ ଶରଣାର୍ଥୀମାନଙ୍କୁ ବାଦ୍‌ ଦେବା ହିଁ ଉକ୍ତ ଆଇନକୁ ବିବାଦୀୟ କରିଦେଇଛି। ରାଜନୀତି ଓ ନିର୍ବାଚନରେ ଏହା ଅନ୍ୟତମ ଧ୍ରୂବୀକରଣର ମାଧ୍ୟମ ହେବ ବୋଲି ଅନେକ ଆଶଙ୍କା କରୁଛନ୍ତି। ଶାହଙ୍କ ଏପରି ଘୋଷଣାରେ ଉତ୍ସାହିତ ହୋଇ ବିଜେପିର ଅନ୍ୟ ନେତାମାନେ ମଧ୍ୟ ନିର୍ବାଚନମୁହାଁ ବେଙ୍ଗଲ, କେରଳ ଓ ଆସାମରେ ସିଏଏ ସପକ୍ଷରେ ଭାଷଣବାଜି ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ, ବିଜେପିର ଏପରି ଅଭିଯାନକୁ ପ୍ରତିରୋଧ କରିବା ପାଇଁ ବିରୋଧୀ ଦଳମାନେ ମଧ୍ୟ ବଦ୍ଧପରିକର ହେଉଛନ୍ତି। ବେଙ୍ଗଲରେ ତାଙ୍କ ଦଳ ଟିଏମ୍‌ସି କ୍ଷମତାକୁ ବଜାୟ ରଖିଲେ ରାଜ୍ୟରେ ସିଏଏ ଲାଗୁ କରାଇ ଦେବେନି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶପଥ କରିଛନ୍ତି। ସେହିପରି ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଭୋଟରମାନଙ୍କୁ ଅନୁରୂପ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର