ମହାରାଷ୍ଟ୍ର ପରେ ସମସ୍ତ କରୋନା କଟକଣା ହଟାଇଲା ପଶ୍ଚିମବଙ୍ଗ

କୋଲକାତା: ଦେଶରେ କମିଛି କରୋନା ସଂକ୍ରମଣ। କିଛି ଦିନ ହେଲାଣି ସଂକ୍ରମଣ କମ ହେଉଥିବା ଦେଖି ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨ରୁ ମହାରାଷ୍ଟ୍ରରୁ ସମସ୍ତଙ୍କ କରୋନା କଟକଣା ହଟିବ ବୋଲି ଘୋଷଣା କରାଯାଇଥିବା ବେଳେ ପଶ୍ଚିମବଙ୍ଗ ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗରେ କରୋନା କଟକଣା ହଟିଥିଲେ ବି ସର୍ବସାଧାରଣ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପ୍ରୋଟୋକଲ ଉପରେ ଲୋକଙ୍କୁ ଧ୍ୟାନ ଦେବାକୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶ ପରେ ଏବେ ସବୁ ରାଜ୍ୟମାନେ ଏଭଳି ନିଷ୍ପତ୍ତି ନେଉଥିବା ଦେଖାଯାଇଛି। କିଛି ଦିନ ତଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ କୋଭିଡ୍‌-ନିରାପତ୍ତା ପଦକ୍ଷେପ ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଅଧିନିୟମକୁ ମାର୍ଚ୍ଚ ୩୧ ପରେ ଆଉ ଲାଗୁ କରାଯିବାର ଆବଶ୍ୟକତା ନାହିଁ। ହେଲେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ଲାଗୁ ରହିବ।

ଦେଖିବାକୁ ଗଲେ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୨୨୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୮ ମୃତ୍ୟୁ ରେକର୍ଡ କରାଯାଇଛି।୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୨୨୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୨୩,୨୧୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୧୨୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୫୯୪ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୪,୮୯,୦୦୪।

ସମ୍ବନ୍ଧିତ ଖବର