କୋଲକାତା: ମାରାତ୍ମକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ପରେ ପଶ୍ଚିମବଙ୍ଗର ମେଡିକାଲ୍ ଅଫିସର ଡାକ୍ତର ବିପ୍ଲବ କାଣ୍ଟି ଦାସଗୁପ୍ତାଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ଦାସଗୁପ୍ତା ଗତକାଲି ବିଳମ୍ବିତ ରାତିରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟ ସେବା ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ।
ତାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗର ଡାକ୍ତରୀ ଫୋରମ୍ ସମବେଦନା ଜଣାଇ ଏକ ନୋଟ୍ ପ୍ରକାଶ କରିଛି । “ଆମର ପ୍ରାର୍ଥନା ତାଙ୍କ ପରିବାର, ସମ୍ପର୍କୀୟ, ସହକର୍ମୀ ଏବଂ ଅନ୍ୟ ପ୍ରିୟ ତଥା ନିକଟତମ ଲୋକଙ୍କ ସହ ଅଛି। ସମଗ୍ର ଡାକ୍ତରୀ ଭ୍ରାତୃଭାବରୁ ହୃଦୟରୁ ସମବେଦନା ଜଣାଉଛୁ।” ଡାକ୍ତରୀ ଫୋରମ୍ ଏହା ମଧ୍ୟ କହିଛି ଯେ, ରାଜ୍ୟରେ ପ୍ରଥମ କରି ଜଣେ ଡାକ୍ତର ଭାବେ କରୋନା ଆକ୍ରାନ୍ତ ହୋଇ ଦାସଗୁପ୍ତାଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ କୌଣସି ଡାକ୍ତରଙ୍କର ମୃତ୍ୟୁ ଘଟି ନଥିଲା | ଦାସଗୁପ୍ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଏହି ଭୂତାଣୁର ଶିକାର ହୋଇଛନ୍ତି | ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ରାଜ୍ୟର ଅବସ୍ଥାକୁ ଦେଖି ଚିନ୍ତା ପ୍ରକଟ କରିବା ସହ ଡାକ୍ତରୀ ଫୋରମ୍ କହିଛି ଯେ, ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ କୋଭିଡ୍ -୧୯ ଦ୍ୱାରା ଶିକାର ହେଉଛନ୍ତି | ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ପାଖରେ ଲକ୍ଷଣ ମଧ୍ୟ ଦେଖାଯାଉନାହିଁ | ଶେଷରେ, ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ଚିକିତ୍ସା ଏବଂ ସଙ୍ଗରୋଧରେ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଅବସ୍ଥା ବିଷୟରେ ଆମକୁ ଆକଳନ କରିବା ପାଇଁ ପ୍ରତିଦିନ ଏକ ପୃଥକ ମେଡିକାଲ ବୁଲେଟିନ୍ ଜାରି କରନ୍ତୁ।
ସୂଚନା ମୁତାବକ, ଗତକାଲି ଅନ୍ତ-ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖି ରାଜ୍ୟ ସରକାରଙ୍କ ସହଯୋଗର ଅଭାବ ଏବଂ ସହର ଗସ୍ତ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଥିଲେ। ଡାକ୍ତରମାନଙ୍କ ସୁରକ୍ଷା ସହ ରୋଗୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ସରକାର ବିଶେଷ ଧ୍ୟାନ ଦେଉ ନଥିବା ଚିଠିରେ ଅଭିଯୋଗ ହୋଇଥିଲା | ଏଭଳି ବିବାଦ ମଧ୍ୟରେ ଜଣେ ମେଡିକାଲ୍ ଅଫିସରଙ୍କ ମୃତ୍ୟୁ ହେବା ଘଟଣା ବିବାଦକୁ ଆହୁରି ବଢ଼ାଇଛି |