ଦୁର୍ନୀତି ମାମଲାରେ ଇଡି ପ୍ରଶ୍ନକୁ ଏଡ଼େଇ ଗଲେ ପାର୍ଥ; ଘନିଷ୍ଠ ସହ‌ଯୋଗୀ ଅର୍ପିତାଙ୍କ ପକ୍ଷରୁ ମିଳିଲା ପୂର୍ଣ୍ଣ ସହଯୋଗ

କୋଲକାତା: ତ୍ରୁଣ ମୂଳ କଂଗ୍ରେସର ହେବି ୱେଟ୍‌ ତଥା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରାର ସମ୍ମୁଖୀନ ହୋଇଛନ୍ତି। ତେବେ ଜେରା ସମୟରେ ସେ ପୂରାପୂରି ଭାବେ ଇଡିକୁ ସମର୍ଥନ କରିବା ପରିବର୍ତ୍ତେ ଅଧିକାଂଶ କଥାକୁ ଏଡ଼େଇ ଯାଇଥିବା ସୂଚନା ରହିଛି। ଏହି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ବି ଗିରଫ ହୋଇଥିଲେ। ତେବେ ସେ ଇଡିକୁ ପୂର୍ଣ୍ଣ ସହାୟତା କରିଥିବା ଜାଣିବାକୁ ମିଳିଛି।

ଉ‌ଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡିର ଏକ ୮ ଜଣିଆ ଟିମ୍‌ ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ରେ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ସେହି ଦିନ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି।

ଶୁକ୍ରବାର ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢ଼ଉ କରି ନଗଦ ୨୧ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ପ୍ରଥମେ ଇଡିର କୌଣସି ପ୍ରଶ୍ନର ଜବାବ ଦେଇନଥିବା ଅର୍ପିତା ପରେ ନିଜର ମୁହଁଁ ଖୋଲିଥିଲେ। ଘରୁ ମିଳିଥିବା ଗଦା ଗଦା ଟଙ୍କା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଥିଲା ବୋଲି ଇଡିକୁ କହିଥିଲେ ଅର୍ପିତା।

 

ସମ୍ବନ୍ଧିତ ଖବର