ଛେଳି ବିକି ବୁକ କରିଥିବା ବିମାନ ଟିକେଟ ବାତିଲ ହେବା ପରେ ଏବେ ପ୍ରବାସୀ ଶ୍ରମିକଙ୍କୁ ଉଡ଼ାଣ ଭରିବାର ଦ୍ଵିତୀୟ ସୁଯୋଗ ଦେଲା ଇଣ୍ଡିଗୋ
ମୁମ୍ବାଇ: ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ଘରୋଇ ବିମାନ ଉଡ଼ାଣକୁ ଅନୁମତି ଦେଇଥିଲେ | ବିଭିନ୍ନ ରାଜ୍ୟକୁ ମେ ୨୫ରୁ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ମେ ୨୮ରେ ପଶ୍ଚିମବଙ୍ଗକୁ ଉଡ଼ାଣ ଆରମ୍ଭ ହେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର | ତେବେ ପଶ୍ଚିମବଙ୍ଗ ସରକାରଙ୍କ ଏହି ଅନୁମତି ପରେ ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୂର ହୋଇଛି | ଛେଳି ବିକି ସେ ବିମାନ ଟିକେଟ ପାଇଁ ଟଙ୍କା ଦେଇଥିବା ବେଳେ ମେ ୨୫ରେ ପଶ୍ଚିମବଙ୍ଗକୁ ବିମାନ ଉଡ଼ାଣ ନଭରିବାରୁ ତାଙ୍କ ଟିକେଟ ବାତିଲ ହୋଇଯାଇଥିଲା | ଏବେ ଭାରତର ସବୁଠୁ ବଡ ବିମାନ କମ୍ପାନୀ ଇଣ୍ଡିଗୋ ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଦୁଇ ଜଣଙ୍କୁ ମୁମ୍ବାଇରୁ ନିଜ ଘରକୁ ଉଡ଼ାଣ ଭରିବାକୁ ସାହାଯ୍ୟ କରିବାକୁ ରାଜି ହୋଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଦେଶବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ମୁମ୍ବାଇରେ ପଶ୍ଚିମବଙ୍ଗର ଶ୍ରମିକମାନେ ଫସି ରହିଥିଲେ। ଘରୋଇ ଉଡାଣକୁ ଅନୁମତି ମିଳିବା ପରେ ବିମାନ ଟିକେଟ ପାଇଁ ପ୍ରବାସୀ ଶ୍ରମିକମାନେ ଛେଳି ବିକି ୩୦,୬୦୦ ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲେ | କିନ୍ତୁ ପରେ ସେମାନଙ୍କ ବିମାନ ବାତିଲ ହୋଇଯାଇଥିବା ନେଇ କୁହାଯିବା ସହ ଟିକେଟ ପାଇଁ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା | କିନ୍ତୁ ଏବେ ଇଣ୍ଡିଗୋ ତାଙ୍କୁ ଦ୍ଵିତୀୟ ଥର ଉଡାଣ ଭରିବାକୁ ସୁଯୋଗ ଦେଇଥିବା ଜଣା ପଡିଛି |

ଇଣ୍ଡିଗୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, “ଆମେ ୩ଜଣ ଯାତ୍ରୀଙ୍କୁ କୋଲକାତା ଯାତ୍ରା କରିବାରେ ସାହାଯ୍ୟ କରିବୁ। ପଶ୍ଚିମବଙ୍ଗ ସରକାର ମେ ୨୮ ପର୍ଯ୍ୟନ୍ତ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେମାନଙ୍କର ମୂଳ ବୁକିଂ ଆମକୁ ବାତିଲ କରିବାକୁ ପଡିଥିଲା। ଏବେ ଜୁନ ୧କୁ ଶ୍ରମିକମାନଙ୍କ ପାଇଁ ଟିକେଟ୍ ବୁକ୍ କରାଯାଇଛି | ଏ ନେଇ ସେମାନଙ୍କଠାରୁ କୌଣସି ଅତିରିକ୍ତ ଦେୟ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛି ଇଣ୍ଡିଗୋ |