ପଶ୍ଚିମବଙ୍ଗରେ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲା ସନ୍ଦିଗ୍ଧ ଇସ୍‌ଲାମିକ୍‌ ଷ୍ଟେଟ୍‌ କର୍ମୀ

କୋଲ୍‌କାତା: କୋଲ୍‌କାତାର ପ୍ରେସିଡେନ୍‌ସି ସୁଧାର ଗୃହରେ ଅବସ୍ଥାପିତ ସନ୍ଦିଗ୍ଧ ଇସ୍‌ଲାମିକ୍‌ ଷ୍ଟେଟ୍‌ କର୍ମୀ ମହମ୍ମଦ ମସିଉଦ୍ଦିନ୍‌ ଓରଫ ଅବୁ ମୁସା ମଙ୍ଗଳବାର ଦିନ ଏକ ଶୁଣାଣି ସମୟରେ ସିଟି ସେସନ୍‌ କୋର୍ଟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିବାରୁ ଅଦାଲତ କକ୍ଷରେ ହଟ୍ଟଗୋଳ ହୋଇଥିଲା।

ଚପଲ ବିଚାରପତିଙ୍କ ଉପରେ ନ ବାଜି ଜଣେ ଓକିଲଙ୍କ ଦେହରେ ବାଜିଥିଲା। ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ମୁସାର ବିଚାର କରିବାକୁ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଅଦାଲତଙ୍କୁ ଆବେଦନ କରିଛି।

ଆଇଏନ୍‌ଏର ଓକିଲ ଶ୍ୟାମଳ କୁମାର ଘୋଷ କହିଛନ୍ତି: ବିଚାର ଚାଲିଥିବା ବେଳେ ମୁସା ନଇଁପଡ଼ି ତା’ର ଚପଲ ଓହ୍ଲାଇ ପକାଇଲା। ବିଚାରପତିଙ୍କୁ ଲକ୍ଷ୍ୟ କରି ସେ ଚପଲ ଫିଙ୍ଗିଥିଲା କିନ୍ତୁ, ତାହା ଜଣେ ଓକିଲଙ୍କ ଦେହରେ ବାଜିଲା। ଏଥର ତା’ର ବିଚାର ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କରିବାକୁ ଆମେ ଆବେଦନ କରିଛୁ।

ଅତୀତରେ ମଧ୍ୟ ମୁସା ଜେଲ୍‌ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଏ ବର୍ଷ ଜାନୁଆରି ମାସରେ ସେ ପ୍ରେସିଡେନ୍‌ସି ସୁଧାର ଗୃହର ଜଣେ ଓ୍ଵାର୍ଡେନ୍‌ଙ୍କୁ ଆକ୍ରମଣ କରିଥିଲା। ଡିସେମ୍ବର ୨୦୧୭ରେ ସେ ଆଲିପୁର ସୁଧାର ଗୃହର ଜଣେ ପ୍ରହରୀଙ୍କ ତଣ୍ଟି କାଟି ପକାଇଥିଲା।

ଆଇଏସ୍‌ରେ ଯୋଗ ଦେବା ନିମନ୍ତେ ଯୁବବର୍ଗଙ୍କୁ ଉତ୍ସାହ ଦେବା ଅଭିଯୋଗରେ ପଶ୍ଚିମବଙ୍ଗର ଏକେଲା ସନ୍ଦିଗ୍ଧ ଇସ୍‌ଲାମିକ୍‌ ଷ୍ଟେଟ୍‌ କର୍ମୀ ମୁସାକୁ ରାଜ୍ୟ ସିଆଇଡି ୨୦୧୬ ଜୁଲାଇ ମାସରେ ଗିରଫ କରିଥିଲା। ପରେ ଏହି ମାମଲା ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲଶ।

ସମ୍ବନ୍ଧିତ ଖବର