ବେଙ୍ଗାଲୁରୁରେ ସିଲିଣ୍ଡର୍‌ ବିସ୍ଫୋରଣ: ଘର ଭାଙ୍ଗିପଡ଼ିବାରୁ ୭ ମୃତ

ବେଙ୍ଗାଲୁରୁ: ସୋମବାର ସକାଳେ ବେଙ୍ଗାଲୁରୁର ଏଜିପୁର ଅଞ୍ଚଳରେ ଏକ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଏକ ଦୁଇ ମହଲା ଘର ଭାଙ୍ଗି ପଡ଼ିବାରୁ ଅନ୍ୟୂନ ସାତ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ପ୍ରତ୍ୟକ୍ଷଦର୍ଶୀମାନେ କହନ୍ତି: ସକାଳ ପ୍ରାୟ ୭ଟାବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏଡ଼େ ଟାଣୁଆ ଥିଲା ଯେ ୨୦ ବର୍ଷ ପୁରୁଣା ଘରଟିକୁ ଭାଙ୍ଗିରୁଜି ଛାରଖାର କରିଦେଲା।

ଫାୟାର୍‌ ବ୍ରିଗେଡ୍‌ ଏବଂ ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ ଘଟନାସ୍ଥଳରେ ପହଞ୍ଚିଥି ମୃତ ଲୋକଙ୍କ ଶବ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅର୍ନ୍ତଭୁକ୍ତ।

ଦୁଇ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୬୮ ବର୍ଷୀୟ କଳାବତୀ ଏବଂ ୩୦ ବର୍ଷିୟ ରବିଚନ୍ଦ୍ରନ।

ଦୁର୍ଘଟନାସ୍ଥଳ ପରିଦର୍ଶନରେ ଯାଇଥିବା କର୍ଣ୍ଣାଟକ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କୋଠାଟି ଗଣେଶ ନାମଧ୍ୟେୟ କୌଣସି ବ୍ୟକ୍ତିଙ୍କର।
୪ଟି ପରିବାରକୁ ଗଣେଶ ସେ ଘର ଭଡ଼ା ଦେଇଥିଲେ।

ତଳ ମହଲାରେ ଦୁଇଟି ପରିବାର ବାସ କରୁଥିଲାବେଳେ ଗୋଟିଏ ପରିବାର ଉପର ମହଲାରେ ବାସ କରୁଥିଲେ। କଳାବତୀ ଏବଂ ରବିଚନ୍ଦ୍ରନ ତଳ ମହଲାରେ ଥିଲେ। ସେମାନେ ଘଟନାସ୍ଥଳରେ ମରିଥିବାବେଳେ ଦୁଇ ଜଣ ପିଲା ଆହତ ହୋଇଛନ୍ତି। କିନ୍ତୁ, ସେମାନେ ବିପଦମୁକ୍ତ ଅଛନ୍ତି। ତଳ ମହଲାରେ ରହୁଥିବା ଦୁଇ ପରିବାର ବୋଧେ ଫସି ରହି ଯାଇଛନ୍ତି।

ବେଙ୍ଗାଲୁରୁ ମେୟର୍‌ ଆର୍‌ ସମ୍ପତ ରାଜ କହିଛନ୍ତି ଯେ ସେ କୋଠାରେ ଚାରିଟି ପରିବାର ରହୁଥିଲେ।

ଅନ୍ୟୁନ ୪୦ ଜଣ ଦମକଳ କର୍ମଚାରୀ ଏବଂ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଭଗ୍ନସ୍ତପ ତଳେ ପଶି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ନିମନ୍ତେ ସଫାସଫି କରୁଥିବାବେଳେ ସେମାନଙ୍କ ଉପରେ ଭଗ୍ନାଂଶ ପଡ଼ିବାରୁ ତିନିଜଣ ଦମକଳ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ବୋଲି ପୁଲିସ କହିଛି।

 

ସମ୍ବନ୍ଧିତ ଖବର