ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓ ଜନପଦରେ ରହୁଥିବା ଇଞ୍ଜିନିୟର ଅତୁଲ ସୁଭାଷ ସ୍ତ୍ରୀ ଓ ଶ୍ବଶୁର ଘରଲୋକଙ୍କ ନିର୍ଯାତନା ସହି ନପାରି ଜୀବନ ହାରି ଦେଇଛନ୍ତି। ଏହି ଘଟଣା ପରେ ଅତୁଲଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଅତୁଲଙ୍କ ବାପା ପବନ ମୋଦୀ ପୁଅକୁ ହରାଇ ସ୍ଥାଣୁ ପାଲଟି ଯାଇଛନ୍ତି। ମା’ଙ୍କ ଅବସ୍ଥା ନକହିଲେ ଭଲ। ପବନ ମୋଦୀ କୋହଭରା କଣ୍ଠରେ କହିଛନ୍ତି, ‘ମୋ ପୁଅ ଆଇନ ବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା।
ପୁଅ ଅନେକ ସମୟରେ କହୁଥିଲା ବାପା ଆମକୁ କୋର୍ଟ ନ୍ୟାୟ ଦେବେ ନାହିଁ। କାରଣ ଆମର ମାମଲା ଯେଉଁ କୋର୍ଟରେ ଚାଲିଛି ସେଠାକର ଜଜ ଭାରତର ଆଇନ ଅନୁଯାୟୀ କାମ କରୁନାହାନ୍ତି। କେବଳ ନାମକୁ ମାତ୍ର ଆଇନ ବ୍ୟବସ୍ଥା। ଏହା ଭିତର ହେଉଛି ଫମ୍ପା। ଯିଏ ଟଙ୍କା ଫିଙ୍ଗିଲା ସେ ନ୍ୟାୟ ପାଇଲା।
ମୋ ପୁଅ ବେଙ୍ଗାଲୁରୁରୁ ଜୌନପୁର ୪୦ଥର ଯାଇଥିବ। ତା’ ବିରୋଧରେ ଏତେମାତ୍ରାରେ ଧାରା ଲାଗୁ ଥିଲା କି ଗୋଟିଏର ସମାଧାନ ହେଉ ହେଉ ଆଉ ଗୋଟିଏ ଲାଗୁ ହୋଇଯାଉଥିଲା। ଏହି ଘଟଣାକୁ ନେଇ ମୋ ପୁଅ ଭିତରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। କିନ୍ତୁ ଆମେ ସେସବୁ ଜାଣି ପାରି ନଥିଲୁ। କାରଣ ସେ ଆମ ସହିତ ହସଖୁସି ମଜାକରେ କଥା ହୋଇଥାଏ। ଆଉ କହୁୂଥିଲା ବାପା ବ୍ୟସ୍ତ ହୁଅ ନାହିଁ ମୁଁ ଠିକ ଅଛି ସବୁକିଛି ସମ୍ଭାଳି ଦେବି।
ଅତୁଲର ସ୍ତ୍ରୀ ପୁଅ ସହିତ ଆମକୁ ବି ବହୁତ ନିର୍ଯାତନା ଦେଇଛି। ବୁଢ଼ା ବୟସରେ ସେ ଆମ ପୁଅକୁ ଛଡ଼ାଇ ନେଇଛି। ଉକ୍ତ ମହିଳାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/11/mgB8hSGraiHKL10tPLIz.jpg)