ଋଣ ସୁଝିନପାରିବାରୁ ଆତ୍ମହତ୍ୟା କଲେ ବ୍ୟାଙ୍କ କର୍ମଚାରୀ

ନିର୍ଯ୍ୟାତନା ଦେଉଥିଲେ 'ଇନଷ୍ଟାଣ୍ଟ ଲୋନ ଆପ୍' କର୍ମଚାରୀ

ବେଙ୍ଗାଲୁରୁ : ଋଣ ପରିଶୋଧ ନକରିବାରୁ ବେଙ୍ଗାଲୁରୁର ଜଣେ ୫୫ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ଜଣେ ବ୍ୟାଙ୍କ କର୍ମଚାରୀ ଥାଇ ମଧ୍ୟ କେତେକ ଲୋନ ଆପ୍ ( ଋଣ ପ୍ରଦାନକାରୀ ମୋବାଇଲ ଆପ୍) ମାଧ୍ୟମରେ ଋଣ ଆଣିଥିଲେ । ଋଣ ପରିଶୋଧ କରିପାରୁନଥିବାରୁ ତାଙ୍କୁ କେତେକ ସଂସ୍ଥା ମାନସିକ ନିର୍ଯ୍ୟାତନା ଦେଉଥିବା ସେ ନିଜର ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ନାଁ ହେଉଛି ନନ୍ଦ କୁମାର ଓ ସେ ବେଙ୍ଗାଲୁରୁର ନାଗଦେବାନାଗଲ୍ଲିର ବାସିନ୍ଦା ଥିଲେ । ସେ ଏକ ସ୍ଥାନୀୟ କୋପରେଟିଭ ବ୍ୟାଙ୍କରେ କାମ କରୁଥିଲେ ।

ଜଣେ ବ୍ୟାଙ୍କ କର୍ମଚାରୀ ହୋଇ ବି ସେ ‘ଇନଷ୍ଟାଣ୍ଟ୍ ଲୋନ ଆପ’ ମାୟାରେ ଫସିଯାଇଥିଲେ । ଏସବୁ ଆପ ମାଧ୍ୟମରେ ସେ ଋଣ ଆଣିଥିଲେ । ରେଳବାଇ ପୁଲିସ ପକ୍ଷରୁ କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ସେ ପ୍ରାୟ ୪୦ଟି ଲୋନ ଆପରୁ ଋଣ ଆଣିଥିଲେ । ତେବେ ମୋଟ କେତେ ପରିମାଣର ଋଣ ଆଣିଥିଲେ ତାହା ଏପର୍ଯ୍ୟନ୍ତ ପୁଲିସ ଜାଣିପାରିନାହିଁ ।

ପୁଲିସ ଜାଣିବାକୁ ପାଇଛି ଯେ ଋଣ ପରିଶୋଧ କରିପାରୁନଥିବାରୁ ଲୋନ ଆପର କର୍ମଚାରୀମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଫୋନ କରି ତାଙ୍କୁ ଧମକାଉଥିଲେ ଓ ନନ୍ଦ କୁମାରଙ୍କ ହ୍ବାଟ୍ସଆପରୁ ତାଙ୍କ ସଂପର୍କୀୟମାନଙ୍କୁ ଅଶ୍ଳିଳ ଫଟୋ ପଠାଉଥିଲେ ।
ପୁଲିସ ଆଇପିସିର ଧାରା ୩୦୬ ( ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଅନୁସାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର