ଭାଇରାଲ ଭିଡିଓର ପ୍ରଭାବ: ବେଙ୍ଗାଲୁରୁ କଳାକାର ମହାକାଶଚାରୀ ସାଜି ଭିଡିଓ ବନାଇବା ପରେ ରାସ୍ତା ମରାମତି କଲା ନଗର ନିଗମ

ବେଙ୍ଗାଲୁରୁ : କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ଯୁବକ ମହାକାଶଚାରୀଙ୍କ ଭଳି ସଜ ହୋଇ ଆବଡ଼ାଖାବଡ଼ା ରାସ୍ତାରେ ଚାଲୁଥିବା ଦେଖାଯାଇଥିଲା । ପ୍ରଥମେ ଭିଡିଓଟି ଦେଖି ତାହା ଚନ୍ଦ୍ରପୃଷ୍ଠର ଭିଡିଓ ବୋଲି ଲୋକେ ଧୋକା ଖାଇଥିବା ବେଳେ ପରେ ତାହା ବେଙ୍ଗାଲୁରୁରେ ଥିବା ହିରୋହଲି ଅଞ୍ଚଳର ବୋଲି ଜଣା ପଡ଼ିଥିଲା । ରାସ୍ତାର ଅବସ୍ଥା ସରକାରଙ୍କ ନଜରକୁ ଆଣିବା ପରେ ଜଣେ କଳାକାର ମହାକାଶଚାରୀଙ୍କ ଭଳି ସଜ ହୋଇ ଭିଡିଓ ପ୍ରସ୍ତୁତ କରିଥିଲେ । ଏବେ ତାଙ୍କର ଉଦ୍ୟମ ସଫଳ ହୋଇଛି । ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ ବେଙ୍ଗାଲୁରୁର ନଗର ନିଗମ ଅଧିକାରୀ । ଯାହା ପରେ ୨୪ଘଣ୍ଟା ମଧ୍ୟରେ ସେ ରାସ୍ତାର ମରାମତି କାମ ଆରମ୍ଭ କରିଥିବା ଜଣା ପଡ଼ିଛି ।

ଭିଡିଓରେ ନଜର ଆସୁଥିବା କଳାକାର ବାଦଲଙ୍କୁ ଏ ନେଇ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ତାଙ୍କର ଏଭଳି ଭିନ୍ନ ଉଦ୍ୟମ ପାଇଁ ଦୀର୍ଘ ଦିନ ଧରି ଶୋଚନୀୟ ଅବସ୍ଥା ଥିବା ରାସ୍ତାର ମରାମତି କାମ ହୋଇ ପାରିଛି । ମରାମତି କାର୍ଯ୍ୟର ଭିଡିଓ ସେୟାର କରି ସମସ୍ତ ଟୁଇଟ୍‌ର ବ୍ୟବହାରକାରୀଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ବାଦଲ ।

ସମ୍ବନ୍ଧିତ ଖବର