ନୂଆଦିଲ୍ଲୀ: ବେଙ୍ଗାଲୁରୁଠାରେ ଏରୋ ଇଣ୍ଡିଆ ୨୦୨୩ ଅବସରରେ ଆଜି ଆୟୋଜିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨୭ଟି ଦେଶର ପ୍ରତିରକ୍ଷା ଏବଂ ସହ-ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘ପ୍ରତିରକ୍ଷା କ୍ଷେତ୍ରରେ ବର୍ଦ୍ଧିତ ନିୟୋଜନ ଜରିଆରେ ଭାଗୀଦାରି ବୃଦ୍ଧି’।
ଉଦ୍ଘାଟନୀ ଭାଷଣରେ ରକ୍ଷାମନ୍ତ୍ରୀ ଦିନକୁ ଦିନ ଜଟିଳ ହେଉଥିବା ବିଶ୍ୱ ସୁରକ୍ଷା ଦୃଶ୍ୟପଟରେ ଅଧିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କାର୍ଯ୍ୟକ୍ରମର ବିଷୟବସ୍ତୁ ‘ସ୍ପିଡ୍’ ବର୍ତ୍ତମାନ ସମୟର ବିଶେଷତାକୁ ବର୍ଣ୍ଣିତ କରେ, ଯେଉଁଥିରେ ଭୂ-ରାଜନୈତିକ ଏବଂ ସୁରକ୍ଷା ବାସ୍ତବତା ଅଭୂତପୂର୍ବ ଗତିରେ ପରିବର୍ତ୍ତିତ ହେବାରେ ଲାଗିଛି। ଏହାର ଜବାବ ଦେବାକୁ ସେ ବାସ୍ତବ ସମୟଭିତ୍ତିକ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ।
ଅର୍ଥ ବ୍ୟବସ୍ଥା, ସୁରକ୍ଷା, ସ୍ୱାସ୍ଥ୍ୟ କିମ୍ବା ଜଳବାୟୁ କ୍ଷେତ୍ରରେ ଯେକୌଣସି ବଡ଼ ଧରଣର ପରିବର୍ତ୍ତନ ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରେ ଏବଂ ଯେତେବେଳେ କୌଣସି ଅଞ୍ଚଳର ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ଆସେ, ସେତେବେଳେ ସମଗ୍ର ବିଶ୍ୱ ଏହାର ପ୍ରଭାବକୁ ଏକାଧିକ ଉପାୟରେ ଅନୁଭବ କରିଥାଏ ବୋଲି ଶ୍ରୀ ସିଂହ ମତ ରଖିଥିଲେ। ଶ୍ରୀ ସିଂହ ଆହୁରି କହିଥିଲେ ଯେ, ଏପରି ଦେଶ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ, ସାମରିକ କିମ୍ବା ବୈଷୟିକ ଜ୍ଞାନକୌଶଳରେ ଅଧିକ ଉନ୍ନତ। କିନ୍ତୁ ସେମାନେ ସମର୍ଥନ ଆବଶ୍ୟକ କରୁଥିବା ରାଷ୍ଟ୍ରମାନଙ୍କ ସମସ୍ୟା ସମାଧାନ ଲାଗି ଆଗ୍ରହୀ ନୁହନ୍ତି।
ରକ୍ଷାମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀମାନଙ୍କୁ ସୂଚନା ଦେଇଥିଲେ ଯେ ଭାରତ ଏହାର ବନ୍ଧୁଦେଶମାନଙ୍କୁ ଉନ୍ନତ ପ୍ରତିରକ୍ଷା ସହଭାଗିତା ପ୍ରଦାନ କରି ଏହି ନୀତି ସହ କାର୍ଯ୍ୟ କରିବାକୁ ଆଗକୁ ବଢ଼ୁଛି। ଏରୋ ଇଣ୍ଡିଆ ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରୀମାନେ ଭାରତରେ ସୃଷ୍ଟି ହେଉଥିବା ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ପାରିବେଶିକ ବ୍ୟବସ୍ଥା ବିଷୟରେ ଜ୍ଞାନ ହାସଲ କରି ପାରିଛନ୍ତି।
୨୭ଟି ଦେଶରୁ ପ୍ରତିରକ୍ଷା ଏବଂ ସହ-ପ୍ରତିରକ୍ଷା ମନ୍ତ୍ରୀ, ୧୫ଟି ପ୍ରତିରକ୍ଷା ଏବଂ ସେନା ମୁଖ୍ୟ ଏବଂ ୮୦ଟି ଦେଶର ୧୨ ଜଣ ସ୍ଥାୟୀ ସଚିବଙ୍କ ସମେତ ବିଭିନ୍ନ ଦେଶରୁ ୧୬୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।