ଇନଷ୍ଟାରେ ଭାବିପତ୍ନୀଙ୍କ ନଗ୍ନ ଫଟୋ ସେୟାର କଲେ ଡାକ୍ତର, ଜୀବନ ନେଇ ପ୍ରତିଶୋଧ ନେଲେ ମହିଳା

ବେଙ୍ଗାଲୁରୁ: ଇନଷ୍ଟାରେ ଭାବିପତ୍ନୀଙ୍କ ନଗ୍ନ ଫଟୋ ସେୟାର କରିବା ଡାକ୍ତରଙ୍କୁ ପଡ଼ିଲା ଭାରୀ। ଷଡ଼ଯନ୍ତ୍ର କରି ପ୍ରତିଶୋଧ ନେଲେ ମହିଳା। ବେଙ୍ଗାଲୁରୁରେ ଏଭଳି ହୃଦୟ ଥରା ଘଟଣା ଘଟିଥିବା ବେଳେ ଜଣେ ୨୭ବର୍ଷୀୟ ଡାକ୍ତର ବିକାଶ ରଞ୍ଜନଙ୍କ ମୃତ୍ୟୁ ହୋଇଛି। ପୁଲିସ ପ୍ରଥମେ ଏହାକୁ ଅପ୍ରାକୃତିକ ମୃତ୍ୟୁ ବୋଲି ଦର୍ଶାଇ ଏତଲା ରୁଜୁ କରିଥିବା ବେଳେ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲେ। ପ୍ରଥମେ ସିଢ଼ିରୁ ଖସି ବିକାଶ ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ପରେ ତାଙ୍କ ଭାବିପତ୍ନୀ ପ୍ରତିଭା ହିଁ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା।

ପୁଲିସର କହିବା ମୁତାବକ, ବିକାଶ ୟୁକ୍ରେନରୁ ଡାକ୍ତରୀ ପାଠ ଶେଷ କରି ପ୍ରଥମେ ଚେନ୍ନାଇ ଏବଂ ପରେ ବେଙ୍ଗାଲୁରୁରେ ଚାକିରି କରୁଥିଲେ। ଦୁଇ ବର୍ଷ ତଳେ ସେ ପ୍ରତିଭାଙ୍କୁ ଭେଟିବା ସହ ତାଙ୍କ ପ୍ରେମରେ ପଡ଼ିଥିଲେ। ଦୁହେଁ ଲିଭ୍ ଇନରେ ରହିବା ସହ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଦୁହିଁଙ୍କ ପରିବାର ମଧ୍ୟ ଏଥିପାଇଁ ରାଜିଥିଲେ। ହେଲେ ଘଟଣା ଦିନ ପ୍ରତିଭା ଏକ ଇନଷ୍ଟା ଆକାଉଣ୍ଟରେ ନିଜର ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହେବା ସହ ବିକାଶଙ୍କୁ ଏବିଷୟରେ ପଚାରିଥିଲେ। ଉତ୍ତରରେ ଇଚ୍ଛା ହେବାରୁ ନକଲି ଆକାଉଣ୍ଟ ଖୋଲି ମୁଁ ତୁମ ନଗ୍ନ ଫଟୋ ସେୟାର କରିଥିବା କହିଥିଲେ ବିକାଶ। ଏଥିରେ ରାଗିଯାଇ ପ୍ରତିଭା ବିକାଶଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ସେପ୍ଟେମ୍ବର ୧୦ରେ ପ୍ରତିଭା ନିଜ ବନ୍ଧୁମାନଙ୍କ ସହ ପାର୍ଟି କରୁଥିବା କହି ବିକାଶକୁ ସାଙ୍ଗରେ ନେଇଥିଲେ। ସେଠାରେ ନଗ୍ନ ଫଟୋ ଛାଡ଼ିବା ନେଇ ପ୍ରତିଭା ଓ ବିକାଶଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ପ୍ରତିଭା ଏବଂ ତାଙ୍କର ୩ଜଣ ବନ୍ଧୁ ବିକାଶଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ବିକାଶଙ୍କ ଅବସ୍ଥା ଗୁରୁତର ହେଉଥିବା ଦେଖି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପ୍ରତିଭା। କିନ୍ତୁ ‌ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ସତ ଜାଣିବା ପରେ ଏବେ ପ୍ରତିଭା ଏବଂ ତାଙ୍କର ୩ଜଣ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର