ବେଙ୍ଗାଲୁରୁ: କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏମଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ହତ୍ୟା କଲେ ପୂର୍ବତନ କର୍ମଚାରୀ। ମଙ୍ଗଳବାର ବେଙ୍ଗାଲୁରୁରେ ଏଭଳି ହୃଦୟଥରା ଘଟଣା ଘଟିଛି। ଏକ ଟେକ୍ କମ୍ପାନିର ଏମଡି ଏବଂ ସିଇଓଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ କହିଛି। ଏହି ଘଟଣାରେ ଜଣେ ପୂର୍ବତନ କର୍ମଚାରୀ ମୁଖ୍ୟ ସନ୍ଦିଗ୍ଧ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Advertisment

ମୃତକ ୨ଜଣ ହେଲେ ଫନିନ୍ଦ୍ର ସୁବ୍ରମଣ୍ୟମ (ଏମଡି) ଏବଂ ବିଣୁ କୁମାର (ସିଇଓ)। ଦୁହେଁ ଏରୋନିକ୍ସ ଇଣ୍ଟରନେଟ କମ୍ପାନିର ଏମଡି ଓ ସିଇଓ ଥିଲେ। ଦୁହିଁଙ୍କୁ ବେଙ୍ଗାଲୁରୁର ଅମୃତାହାଲ୍ଲୀ ନିକଟରେ ସନ୍ଦିଗ୍ଧ ବ୍ୟକ୍ତି ହତ୍ୟା କରିଥିବା କୁହାଯାଉଛି। ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ, ଏହି ଡବଲ୍ ମର୍ଡର ଘଟଣାର ସନ୍ଦିଗ୍ଧ ବ୍ୟକ୍ତି ଏରୋନିକ୍ସର ଜଣେ ପୂର୍ବତନ କର୍ମଚାରୀ। ସନ୍ଦିଗ୍ଧ କମ୍ପାନି ଛାଡି କିଛି ଦିନ ତ‌ଳେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ତେବେ ଅଭିଯୋଗ ହୋଇଛି ଯେ ସନ୍ଦିଗ୍ଧ ବ୍ୟକ୍ତି ଫନିନ୍ଦ୍ରଙ୍କ କାମ କରିବାର ଶୈଳକୁ ପସନ୍ଦ କରୁନଥିଲେ ଏବଂ ଚାକିରି ଛାଡ଼ିବା ପୂର୍ବରୁ ଏହାକୁ ବିରୋଧ କରିଥିଲେ। ଚାକିରି ଛାଡ଼ିବା ପରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଖଣ୍ଡା ଏବଂ ଛୁରୀ ନେଇ ଏରୋନିକ୍ସ କାର୍ଯ୍ୟାଳୟରେ ପ୍ରବେଶ କରିଥିଲା ଏବଂ ଫଦିନ୍ଦ୍ର ସୁବ୍ରମଣ୍ୟମ ଏବଂ ବିଣୁ କୁମାରଙ୍କୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲା। ତେବେ ହତ୍ୟା ପଛରେ ଆଉ କେଉଁ ସବୁ କାରଣ ରହିଛି, ସେ ଦିଗକୁ ନେଇ ତଦନ୍ତ କରୁଛି ପୁଲିିସ।