ବେଙ୍ଗାଲୁରୁ: ଅସହ୍ୟ ଗରମ, ଗୁଳୁଗୁଳି ଓ ଟାଇଁଟାଇଁ ଖରାରୁ ମିଳିଛି ମୁକ୍ତି । ଆଉ ଜଳିଯାଉନି ଦେହ କି ସୂର୍ଯ୍ୟଙ୍କ ତେଜରେ ପୋଡି ଯାଉନି ମୁହଁ । ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଥିବା ମଣିଷଙ୍କ ଉପରେ ପ୍ରକୃତି ଛିଞ୍ଚିଛି ପାଣି । ଆକାଶରେ ଘୋଟି ଆସିଛି କଳା ବାଦଲ, ଗର୍ଜିଛି ମେଘ, ଢାଳିଛି ବର୍ଷା... ଓଃ କି ଶାନ୍ତି, ଜୀବନ ଖରାର ନାଲିଆଖିରୁ ପାଇଛି ମୁକ୍ତି ...
ରବିବାର ଠାରୁ ବେଙ୍ଗାଲୁରୁରେ ଲଗାଣ ବର୍ଷା ଜାରି ରହିଥିବା ଗୋଟେ ପଟେ ଲୋକଙ୍କୁ ଗ୍ରୀଷ୍ମରୁ ଆଶ୍ବସ୍ତି ଦେଇଥିବା ବେଳେ ଜଳଜନିତ ଯନ୍ତ୍ରଣା ଏବଂ ବର୍ଷା ପରର ବନ୍ୟା ପରିସ୍ଥିତି ବେଙ୍ଗାଲୁରୁବାସୀଙ୍କୁ ଦେଇଛି ଶାସ୍ତି । ଜନଜୀବନ ବର୍ଷା ପାଇଁ ପୂରା ଠପ୍ ହୋଇଯାଇଛି । କହିବାକୁ ଗଲେ ଏକପ୍ରକାର ବର୍ଷା କରିଛି ବେଙ୍ଗାଲୁରୁକୁ ବେହାଲ ।
ଚାରିଆଡେ ପାଣି... ଘରେ ପାଣି, ବାହାରେ ପାଣି, ରାସ୍ତାରେ ପାଣି, ମନ୍ଦିରରେ ପାଣି ଆଉ ସ୍କୁଲରେ ବି ପାଣି... ରାସ୍ତା ବୁଡିଛି, ଘଡ ବୁଡିଛି, ବାଇକ୍ ବୁଡିଛି, କାର ବୁଡିଛି... ପାଣି ପାଇଁ ପୂରା ପରିସ୍ଥିତି ବେହାଲ । ସ୍ଥିତି ଏମିତି ହୋଇଛି ଲୋକେ ଘରୁ ବି ବାହାରି ପାରୁନାହାନ୍ତି । କିଏ ଜେସିବିରେ ରିଲିଫ ନେଇ ଯାଉଛି ତ କିଏ ରାସ୍ତାରେ ଡଙ୍ଗା ପକାଇ ଯାଉଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ରବିବାର ସଂଧ୍ୟାରୁ ଆରମ୍ଭ ହୋଇ ଆଜି ଯାଏଁ ଜାରି ରହିଥିବା ବେଳେ ବର୍ଷା ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କଲାଣି । ପାଣିର କବଜାରେ ପୂରା ବେଙ୍ଗାଲୁରୁ ସହର ଥିବା ବେଳେ ଜଳବନ୍ଦୀ ପାଇଁ ଅନେକ କ୍ଷତି ହେଲାଣି । ୪ ଦିନରେ ପାଖାପାଖି ୫୦୦ ଘର ଜଳବନ୍ଦୀ ହୋଇଛି । ୨୦ରୁ ଅଧିକ ହ୍ରଦ ଫୁଲିଲାଣି, ୧୨ରୁ ଅଧିକ ମୁଖ୍ୟ ରାସ୍ତାରେ ପାଣିର ସୁଅ, ରାସ୍ତା ପାଲଟିଛି ନଦୀ । ଓଭରବ୍ରିଜ୍ ବନ୍ଦ, ଓଭରବ୍ରିଜ ତଳେ ପାଣି । ଟ୍ରାଫିକ୍ ଜାମ, ଗାଡି ଚଳାଚଳ ପୂରା ଠପ୍ । ବର୍ଷା ଜନିତ ବନ୍ୟା ପରିସ୍ଥିତିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆରଆର ନଗରରେ ୫ଟି ଗୃହପାଳିତ ପଶୁଙ୍କର ପ୍ରାଣହାନୀ ମଧ୍ୟ ହୋଇଛି ।