ବର୍ଷାରେ ବେଙ୍ଗାଲୁରୁ ବେ‌ହାଲ୍‌: ୨ ଦିନ ପାନୀୟ ଜଳ ଯୋଗାଣ ବନ୍ଦ

ବେଙ୍ଗାଲୁରୁ: ପ୍ରବଳ ବର୍ଷାରେ ବେଙ୍ଗାଲୁରୁ ସହର ବେହାଲ ହୋଇଯାଇଛି। ଗତ କିଛି ଦିନ ଧରି ବର୍ଷା ଜାରି ଥିବାବେଳେ ଗତକାଲି ରାତିରେ ଲଗାତାର ୯ ଘଣ୍ଟାର ବର୍ଷା‌ ସହରର ଅଧିକାଂଶ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଗୋଟିଏ ସପ୍ତାହରେ ଦ୍ବିତୀୟ ଥର ପାଇଁ ବେଙ୍ଗାଲୁରୁ‌ରେ ଜଳବନ୍ଦୀ ଅବସ୍ଥା ଉପୁଜିଛି। ଆଇଏମ୍‌ଡି ଅନୁଯାୟୀ ବେଙ୍ଗାଲୁରୁରେ ଦିନକରେ ୧୩୧.୬ ମିମି ବର୍ଷା ହୋଇଛି। ଏହା ୮ ବର୍ଷ ତଳର ରେକର୍ଡ ବର୍ଷା ପାଖାପାଖି। ସେପ୍ଟେମ୍ବର ୨୬, ୨୦୧୪ରେ ବେଙ୍ଗାଲୁରୁରେ ୧୩୨.୩ ମିମି ବର୍ଷା ହୋଇଥିଲା। ବର୍ଷା ଯୋଗୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଛି। ସର୍ଜାପୁରର ରେନ୍‌ବୋ ଡ୍ରାଇଭ୍‌ ଲେଆଉଟ୍‌, ଆଉଟର ରିଙ୍ଗ ରୋଡ୍‌, ଭରଥୁର, କେଆର ପୁରମ ଆଦି ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ବିବିଏମ୍‌ପି (ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ)‌ରେ ୧୫୦୦ରୁ ଅଧିକ ଘର ବୁଡ଼ି ଯାଇଛି। ମୁନ୍ନେକୋଲାଲୁ ଏବଂ ବେଲ୍ଲାନ୍ଦୁର ଅଞ୍ଚଳ ବର୍ଷା ଜଳରେ ବୁଡ଼ି ଯାଇଛି। ୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାସ୍ତାଘାଟରେ ପାଣିର ସୁଅ ଛୁଟୁଛି। ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଯାତାୟାତ ପାଇଁ ରାସ୍ତା ଉପରେ ବୋଟ୍‌ ଚାଲୁଛି। ତଥ୍ୟ ଅନୁଯାୟ ରବିବାର ସକାଳ ୮.୩୦ରୁ ସୋମବାର ସକାଳ ୮.୩୦ ମଧ୍ୟରେ ମାଣ୍ଡିୟା ଜିଲ୍ଲାର ମାଲଭଲ୍ଲି ତା‌ଲୁକରେ ୧୮୮ ମିମି ବର୍ଷା ହୋଇଛି। ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମା‌ଇ ମାଣ୍ଡିୟା ଜିଲ୍ଲାର ମାଲଭଲ୍ଲି ତାଲୁକ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ମାଣ୍ଡିୟା‌ ଜିଲ୍ଲାରେ ପମ୍ପିଂ ଷ୍ଟେସନ୍‌ ବୁଡ଼ି ଯାଇଥିବାରୁ ବେଙ୍ଗାଲୁରୁର ୫୦ଟି ଅଞ୍ଚଳକୁ ଆଗାମୀ ୨ ଦିନ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ସେହିଭଳି କେରଳରେ ପ୍ରବଳ ବର୍ଷା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର