ବେଙ୍ଗାଲୁରୁ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଗତ ମାସରେ ହୋଇଥିବା ଦଳାଚକଟା ଘଟଣାରେ ଆଇପିଏସ୍ ଅଫିସର ବିକାଶ କୁମାରଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ସମର୍ଥନ କରି କର୍ଣ୍ଣାଟକ ସରକାର ଗୁରୁବାର ହାଇକୋର୍ଟଙ୍କୁ କହିଛନ୍ତି ଯେ, ବରିଷ୍ଠ ପୁଲିସ ଅଧିକାରୀମାନେ ଆର୍ସିବିର ଦାସ ଭଳି କାର୍ଯ୍ୟ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ ଜେନେରାଲ ଶଶିକିରଣ ସେଠୀ ଯୁକ୍ତି ବାଢ଼ିଥିଲେ ଯେ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସିଏଟି)ର ଆଦେଶ ଏହାର ଅଧିକାର ସୀମା ଅତିକ୍ରମ କରିଛି ଏବଂ ଏହା ଉପରେ ରୋକ ଲଗାଯାଉ। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ବିକାଶ ଓ ଅନ୍ୟ ଆଇପିଏସ୍ ଅଧିକାରୀଙ୍କ ନିଲମ୍ବନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ବୋଲି ସେ ଅଦାଲତଙ୍କୁ କହିଥିଲେ। ଜୁନ୍ ୫ ତାରିଖରେ ଏହି ନିଲମ୍ବନ ଆଦେଶ ଜାରି ହୋଇଥିଲା।
ପୁଲିସ ଅଧିକାରୀଙ୍କ ନିଲମ୍ବନ ପ୍ରତ୍ୟାହାର ବିରୋଧରେ କର୍ଣ୍ଣାଟକ ସରକାରଙ୍କ ଯୁକ୍ତି
କୋହଲିଙ୍କ ଆଡ଼କୁ ବି ଅଙ୍ଗୁଳି ନିର୍ଦ୍ଦେଶ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ର ଟସ୍ ପୂର୍ବରୁ ଆର୍ସିବି ପକ୍ଷରୁ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ମ୍ୟାଚ୍ ଜିତିଲେ ବିଜୟ ଉତ୍ସବ ପାଳନ କରିବାକୁ ଯୋଜନା ସମ୍ପର୍କରେ ଏକ ଆବେଦନ କରାଯାଇଥିଲା। ପୁଲିସ ଅଧିକାରୀମାନେ ଆର୍ସିବିର ସେବକ ଭଳି କାର୍ଯ୍ୟ କରୁଥିଲେ ବୋଲି ସରକାରୀ ଓକିଲ ଅଦାଲତରେ କହିଛନ୍ତି। କିଏ ଏହି କାର୍ଯ୍ୟକ୍ରମକୁ ଅନୁମତି ଦେଇଛି ବୋଲି ପଚରାଉଚରା ନ କରି ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା କରିବା ଆରମ୍ଭ କରିଥିଲେ ବୋଲି ଓକିଲ କହିଛନ୍ତି।
କେବଳ ୧୨ ଘଣ୍ଟାର ନୋଟିସ୍ରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ଅସମ୍ଭବ ବୋଲି ସରକାର ଯୁକ୍ତି ବାଢ଼ିବା ସହ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲେ। ଜୁନ୍ ୪ରେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଏକ ଦଳାଚକଟା ହୋଇଥିଲା, ଯେଉଁଠାରେ ଆର୍ସିବିର ପ୍ରଥମ ଆଇପିଏଲ୍ ବିଜୟ ପରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। କ୍ରିକେଟର୍ ବିରାଟ କୋହଲିଙ୍କ ପ୍ରତି ମଧ୍ୟ ଆଜି ସରକାର ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କୋହଲିଙ୍କ ଦ୍ବାରା ଏକ ସାର୍ବଜନୀନ ଭିଡିଓ ଅପିଲ ମଧ୍ୟ ଭିଡ଼ ବଢ଼ିବା ପାଇଁ ଦାୟୀ ବୋଲି କୁହାଯାଇଛି। ଯେଉଁଥିରେ ପୁଲିସ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇ ନ ଥିଲେ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ଓ ଅନୁମତି ତଦାରଖରେ ତ୍ରୁଟି ଅଭିଯୋଗରେ ଏସିପି ବିକାଶ କୁମାର ଓ ଅନ୍ୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ପରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ବିକାଶଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ପରେ ରାଜ୍ୟ ସରକାର ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।