ବେଙ୍ଗାଲୁରୁ: ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଘଟିଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହେବାର କିଛି ଦିନ ପରେ କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦିଲ୍ଲୀ ଡକାଇଛନ୍ତି। ସେମାନଙ୍କୁ ମଙ୍ଗଳବାର ସକାଳେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ କୁହାଯାଇଛି। ଡିକେ ଶିବକୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ରାଜଧାନୀ ଦିଲ୍ଲୀରେ ଅଛନ୍ତି ଏବଂ ଗାନ୍ଧୀଙ୍କୁ ଭେଟିବା ପାଇଁ ତାଙ୍କର ରହଣି ଅବଧି ବଢ଼ାଇବାର ସମ୍ଭାବନା ରହିଛି। ସେପଟେ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାର ସମ୍ଭାବନା ରହିଛି। ରବିବାର ସିଦ୍ଦରମୈୟା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। କ୍ରିକେଟ୍ ଷ୍ଟାଡିୟମ୍ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ତତ୍କାଳୀନ ବେଙ୍ଗାଲୁରୁ ପୁଲିସ କମିସନର ବି ଦୟାନନ୍ଦଙ୍କୁ ବଳିର ବୋଦା ବନାଯାଇଥିବା ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, କେବଳ କମିସନରଙ୍କୁ ନୁହେଁ, ୫ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଗୁଇନ୍ଦା ମୁଖ୍ୟଙ୍କୁ ବଦଳି କରାଯାଇଛି। ମୋର ରାଜନୈତିକ ସଚିବ କେ ଗୋବିନ୍ଦରାଜେଙ୍କୁ ହଟାଇ ଦିଆଯାଇଛି।

Advertisment

କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଆର୍‌ସିବି
ବେଙ୍ଗାଲୁରୁ: ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ଘଟଣାରେ ଆର୍‌ସିବି ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଆର୍‌ସିବି ଏବଂ ଅନ୍ୟ ପରିଚାଳକଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ତେବେ ଏହି ଅପରାଧିକ ମାମଲା ରଦ୍ଦ ପାଇଁ ଆର୍‌ସିବି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କାର୍ଯ୍ୟକ୍ରମ ପରିଚାଳକ ଡିଏନ୍‌ଏ ଏଣ୍ଟରଟେନମେଣ୍ଟ୍‌ ନେଟୱର୍କସ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ରୁଜୁ ହୋଇଥିବା ଏତଲା ରଦ୍ଦ ପାଇଁ ଏହା ମଧ୍ୟ କର୍ଣ୍ଣାଟକ ହାଇକୋର୍ଟରେ ଏକ ପୃଥକ୍‌ ଆବେଦନ କରିଛି। ଇତି ମଧ୍ୟରେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ କେଏସ୍‌ସିଏ ସଭାପତି ରଘୁରାମ ଭଟ, ସମ୍ପାଦକ ଏ ଶଙ୍କର ଏବଂ କୋଷାଧ୍ୟକ୍ଷଙ୍କ ବିରୋଧରେ କୌଣସି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।