ବେଙ୍ଗାଲୁରୁ ଦଙ୍ଗା ଯୋଜନାବଦ୍ଧ ଥିଲା, ଦଙ୍ଗାକାରୀଙ୍କ ଠାରୁ ଆଦାୟ କରାଯିବ କ୍ଷତିପୂରଣ: କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଆଜି (ବୁଧବାର) ସନ୍ଧ୍ୟାରେ କହିଛନ୍ତି ଯେ ବେଙ୍ଗାଲୁରୁ ଠାରେ ଘଟି ଯାଇଥିବା ଦଙ୍ଗା ଯୋଜନାବଦ୍ଧ ଥିଲା। ଉତ୍ତରପ୍ରଦେଶ ପରି ଦଙ୍ଗାକାରୀଙ୍କଠାରୁ କ୍ଷତିପୂରଣ ବାବଦ ଅର୍ଥରାଶି ଆଦାୟ କରାଯିବ। କର୍ଣ୍ଣାଟକ ସରକାର କହିଛନ୍ତି ଯେ ବେଙ୍ଗାଲୁରୁରେ ମଙ୍ଗଳବାର ରାତିରେ ଘଟିଥିବା ଦଙ୍ଗାରେ ହୋଇଥିବା କ୍ଷୟକ୍ଷତି ଦଙ୍ଗାରେ ସମ୍ପୃକ୍ତ ଥିବା ଲୋକଙ୍କ ଠାରୁ ଆଦାୟ କରାଯିବ। ରାଜ୍ୟ ସରକାର ମଧ୍ୟ କହିଛନ୍ତି ଯେ ଏହି ଦଙ୍ଗା ଯୋଜନାବଦ୍ଧ ଥିଲା ଏବଂ ପୁଲିସ ଦଙ୍ଗାରେ ସଂପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିଛି।

କର୍ଣ୍ଣାଟକ ମନ୍ତ୍ରୀ ସିଟି ରବି କହିଛନ୍ତି, ଏହି ଦଙ୍ଗା ଯୋଜନାବଦ୍ଧ ଥିବା ସହ ସମ୍ପତ୍ତି ନଷ୍ଟ ପାଇଁ ଦଙ୍ଗାକାରୀ ପେଟ୍ରୋଲ ବୋମା ଏବଂ ପଥରର ବ୍ୟବହାର କରିଥିଲେ। ଦଙ୍ଗାରେ ୩୦୦ରୁ ଅଧିକ ଗାଡି ପୋଡି ପାଉଁଶ ହୋଇଯାଇଛି। ଅନୁସନ୍ଧାନ ପରେ ହିଁ ସବୁକିଛି ସ୍ପଷ୍ଟ ହୋଇଯିବ। ମନ୍ତ୍ରୀ କହିଛନ୍ତି ଯେ ଦଙ୍ଗାକାରୀଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆମେ ଦଙ୍ଗାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରୁଛୁ ଏବଂ କ୍ଷୟକ୍ଷତିର ଆକଳନ କରୁଛୁ।
ସେହିଭଳି କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକା କହିଛନ୍ତି ଯେ ବେଙ୍ଗାଲୁରୁ ଦଙ୍ଗା ଯୋଜନାବଦ୍ଧ ଥିଲା ଏବଂ ଦଙ୍ଗା ପଛରେ ରହିଥିବା ଷଡ୍‌ଯନ୍ତ୍ରର ଖୁବ୍‌ଶୀଘ୍ର ପର୍ଦ୍ଦାଫାସ୍‌ ହେବ। ଏଥିସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

ବେଙ୍ଗାଲୁରୁରେ କ’ଣ ହେଲା?

ଜଣେ ଯୁବକଙ୍କ ଦ୍ୱାରା ଫେସ୍‌ବୁକ୍‌ରେ କରାଯାଇଥିବା ଏକ ଆପତ୍ତିଜନକ ତଥା ସାଂପ୍ରଦାୟିକ ସମ୍ବେଦନଶୀଳ ପୋଷ୍ଟିଂକୁ କେନ୍ଦ୍ରକରି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଗତ ରାତିରୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ଏହି ଘଟଣାକୁ କେନ୍ଦ୍ରକରି ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ସହରରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଗୁଳି ଚାଳନା କରିବାରୁ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ହିଂସାକାଣ୍ଡରେ ସମ୍ପୃକ୍ତ ୧୫୦ରୁ ଅଧିକ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଥିଲା।

ଫେସ୍‌ବୁକ୍‌ରେ ଘୃଣା ତଥା ସାଂପ୍ରଦାୟିକ ଉତ୍ତେଜନା ଉଦ୍ରେକକାରୀ ପୋଷ୍ଟ୍‌ କରିଥିବା ସମ୍ପୃକ୍ତ ଯୁବକଜଣକ ପୁଲକେଶୀ ନଗର କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିବା ପରେ ଦଙ୍ଗାର ସୂତ୍ରପାତ ହୋଇଥିଲା। ଏଥିଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଡିଜେ ହାଲି ଓ କେଜି ହାଲି ଥାନା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକଙ୍କ ବାସଭବନ ଉପରକୁ ଟେକାପଥର ଫିଙ୍ଗିଥିଲେ। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। କିନ୍ତୁ, ଯୁବକଜଣକ କହିଛନ୍ତି ଯେ, ସେ ଏହାକୁ ପୋଷ୍ଟ୍‌ କରି ନାହାନ୍ତି। ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ କରାଯାଇ ଏଭଳି କରାଯାଇଛି।

ସମ୍ବନ୍ଧିତ ଖବର