ବେଙ୍ଗାଲୁରୁ: ଆଜି ସମଗ୍ର ବେଙ୍ଗାଲୁରୁରେ ୧୫ରୁ ଅଧିକ ସ୍କୁଲ୍ ବେନାମୀ ଇ-ମେଲ୍ଦ୍ବାରା ବୋମା ଧମକ ପାଇବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ୍ କର୍ତ୍ତୃପକ୍ଷମାନେ ଆତଙ୍କିତ ହୋଇପଡ଼ିଥିବା କଥା ପୁଲିସ କହିଛି।
ଇ-ମେଲ୍ରେ ଆଜି ପ୍ରଥମ ବୋମା ଧମକ ପାଇଥିଲେ ବାସବେଶ୍ବର ନଗରରେ ଥିବା ନାପେଲ୍ ଓ ବିଦ୍ୟାଶିଳ୍ପ ସମେତ ୭ଟି ସ୍କୁଲ୍। ସେଥିରୁ ଗୋଟିଏ ସ୍କୁଲ୍ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାରଙ୍କ ବାସଭବନର ଅପରପାର୍ଶ୍ବରେ ଅବସ୍ଥିତ।
ସାମ୍ବାଦିକମାନଙ୍କୁ ଡି. କେ. ଶିବକୁମାର କହିଛନ୍ତି, ମୁଁ ଟେଲିଭିଜନ୍ ଦେଖୁଥିଲି, ମୋ ବାସଭବନ ଅପରପାର୍ଶ୍ବରେ ଥିବା ସ୍କୁଲ୍କୁ ମଧ୍ୟ ବୋମା ଧମକ ଦିଆଯାଇଛି। ଯାଞ୍ଚ କରିବା ପାଇଁ ମୁଁ ଏଠାକୁ ଆସିଛି। ଏହା ଗୋଟାଏ ମିଥ୍ୟା ଧମକାଣ ବୋଲି ଏପର୍ଯ୍ୟନ୍ତ ମନେହେଉଛି। କିନ୍ତୁ, ଆମକୁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।
Image Courtesy of NDTV
ପରେ ପରେ ଆହୁରି କିଛି ଶିକ୍ଷାନୁଷ୍ଠାନ ମଧ୍ୟ ଏଭଳି ଇ-ମେଲ୍ ପାଇଲେ। ସତର୍କତାମୂଳକ ପଦକ୍ଷେପସ୍ବରୂପ ବେଙ୍ଗାଲୁରୁ ପୁଲିସ ଉକ୍ତ ସ୍କୁଲ୍ଗୁଡ଼ିକରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସ୍ଥାନାନ୍ତରିତ କରିଛି।
ଏହି ଧମକ ମିଥ୍ୟା ବୋଲି ଆଭାସ ମିଳୁଥିଲେ ବି ପୁଲିସ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଆଣି ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ତଲାସ ଚଳାଇଛି। କୌଣସି ସ୍କୁଲ୍ରେ ବୋମାର ସନ୍ଧାନ ମିଳିଥିବା କଥା ସେମାନେ ଏ ପର୍ପ୍ୟନ୍ତ କହି ନାହାନ୍ତି।
ବେଙ୍ଗାଲୁରୁ ପୁଲିସ କମିସନର୍ ‘ଏକ୍ସ୍’ କରି କହିଛନ୍ତି, ବେଙ୍ଗାଲୁରୁ ସହରର କେତେକ ସ୍କୁଲ୍ ଆଜି ସକାଳେ ବୋମା ଧମକ ଦିଆଯାଇଥିବା ଇ-ମେଲ୍ ପାଇଛନ୍ତି। ଯାଞ୍ଚ ପାଇଁ ଘଟଣାସ୍ଥଳକୁ ବୋମା ଠାବକାରୀ ସ୍କ୍ବାଡ୍ ନିୟୋଜିତ କରାଯାଇଛି। ଧମକ ମିଥ୍ୟା ବୋଲି ମନେହେଉଛି। ତଥାପି, ଅପରାଧୀଙ୍କୁ ଠାବ କରିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ।
ଏହି ଘଟଣାର ତଦନ୍ତ ନିମନ୍ତେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି।