ନୂଆଦିଲ୍ଲୀ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା ଘଟଣା କର୍ଣ୍ଣାଟକ ସରକାରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜନ୍ ମାଇକେଲ୍ ଡି'କୁନହା ଏହି ଘଟଣାର ତଦନ୍ତ କରିବେ। ସେ ଆରସିବି, ଡିଏନଏ ନେଟୱାର୍କସ୍ ଏବଂ କେଏସସିଏର ଦାୟୀ ପ୍ରତିନିଧିମାନଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ବେଙ୍ଗାଲୁରୁ ପୁଲିସ କମିସନର, ଅତିରିକ୍ତ କମିସନର, ଡିସିପି ସେଣ୍ଟ୍ରାଲ, ଏସିପି ଏବଂ କବନ ପାର୍କ ପୁଲିସ ଷ୍ଟେସନ୍ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି।
ବୁଧବାର ଦିନ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଆଇପିଏଲ ଟାଇଟଲ ଜିତିବା ଉପଲକ୍ଷେ ଏକ ବିଜୟ ଉତ୍ସବ ଆୟୋଜନ ହୋଇଥିଲା । ମାତ୍ର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ମଧ୍ୟରେ ଦଳାଚକଟା ଘଟି ବିଜୟର ଆନନ୍ଦ କ୍ଷଣକରେ ଶୋକସଭାରେ ପରିଣତ ହୋଇଥିଲା। ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ରୁ ଅଧିକ ଆହତ ହୋଇଥିଲେ।