ବେଙ୍ଗାଲୁରୁ: ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ୪ଜଣ ଆତଙ୍କବାଦୀ ପାଖାପାଖି ୪୦ଜଣ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ଜଣକର ଦେହାନ୍ତ ‌ହୋଇଥିଲା। ୨୬ଜଣକ ମଧ୍ୟରେ ଥିବା ବେଙ୍ଗାଲୁରୁର ଭରତ ଭୂଷଣ। ସେ ତାଙ୍କ ପତ୍ନୀ ଡାକ୍ତର ସୁଜାତା ଓ ୩ବର୍ଷର ପୁଅକୁ ଧରି ପହଲଗାମ୍ ବୁଲିବାକୁ ଯାଇଥିଲେ। ଏପ୍ରିଲ ୧୮ରେ ସେମାନେ କଶ୍ମୀର‌ରେ ପହଞ୍ଚିବା ପରେ ଏପ୍ରିଲ ୨୨ରେ ପହଲଗାମ୍‌ରେ ପହଞ୍ଚିଥିଲେ। ହେଲେ ମାତ୍ର ୧୦ମିନିଟ‌୍ ଭିତରେ ସବୁ ଓଲଟି ଯିବ ବୋଲି ତାଙ୍କୁ ଜଣାନଥିଲା।

Advertisment

ସେଦିନର ଘଟଣାକୁ ମନେ ପକାଇ କୋହଭରା କଣ୍ଠରେ ସୁଜାତା କହିଛନ୍ତି, "ମୁଁ ଷ୍ଟଲ ପାଖରେ ଠିଆ ହୋଇ କଶ୍ମୀରର ପାରମ୍ପରିକ ପୋଷାକ ଦେଖୁଥିଲି। ଜଣେ ଆତଙ୍କବାଦୀ ଜଣେ ପର୍ଯ୍ୟଟକଙ୍କୁ ଗୁଳି କରିବା ପରେ ଆମ ପାଖକୁ ଆସି କହିଲେ, "ଆମର ପିଲାମାନଙ୍କୁ ହତ୍ୟା କରାଯାଉଥିବା ଏବଂ ଆମେ କଷ୍ଟ ପାଉଥିବା ବେଳେ ତୁମେ ଏଠାରେ କିପରି ଖୁସି ହୋଇପାରୁଛ? ତୁମେ ଆମ ବିଷୟରେ ଖବର ପଢ଼ୁନାହଁ କି? ଏଭଳି କହି ସେ ଆଉ ଜଣେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଭରତଙ୍କ ମୁଣ୍ଡରେ ବନ୍ଧୁକ ରଖି ସେ ପଚାରିଥିଲେ ତୁମ ନାମ କ’ଣ? ତୁମେ ହିନ୍ଦୁ ନା ମୁସଲିମ୍? ଭରତ ନିଜର ନାମ କହିବା ସହ ଆମକୁ କହିଥିଲେ, ଚିନ୍ତା କରନି...ଦୃଢ଼ ରୁହ। ଏହା ପରେ ଆଖି ପିଛୁଳାକେ ସେମାନେ ଭରତଙ୍କ ମୁଣ୍ଡରେ ୩ଟି ଗୁଳି ଚଳାଇଥିଲେ। ଗୁଳି ବାଜିବା ପରେ ଭରତ ସେଇଠି ଟଳିପଡ଼ିଥିଲେ। ତାଙ୍କୁ ଗୁଳି ମାରି ସେମାନେ ଯିବା ପରେ ମୁଁ ମୋର ଜରୁରୀ କାଗଜପତ୍ର, ଭରତଙ୍କ ପର୍ସ ଓ ବ୍ୟାଗ୍ ଧରି ଦୌଡ଼ିବାକୁ ଲାଗିଲି। ଡାକ୍ତର ଭାବରେ ମୁଁ ଭଲ ଭାବେ ଜାଣିଥିଲି ଯେ, ଭରତ ଆଉ ନଥିବେ। ସେଥିପାଇଁ ମୋ ପୁଅର ଜୀବନ ବଞ୍ଚାଇବାକୁ ଯାଇ ମୁଁ ସେଠାରୁ ତୁରନ୍ତ ପଳାଇ ଆସିଲି। କିଛି ବାଟ ଆସିବା ପରେ ସିଆରପିଏଫ୍ ଆମକୁ ଘୋଡାରେ ବସାଇ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ।"