ଦେଶର ୩୦ଟି କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ବ୍ରହ୍ମପୁର

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂତ୍ର ଅନୁସାରେ ଦେଶର ୮୦ ପ୍ରତିଶତ କରୋନା ସଂକ୍ରମଣ ଦେଶର ୩୦ଟି ପୌରାଞ୍ଚଳରେ ହେଉଛି। ଏହି ତାଲିକାରେ ଓଡ଼ିଶାର ଏକମାତ୍ର ପୌରାଞ୍ଚଳ ଭାବେ ବ୍ରହ୍ମପୁର ରହିଛି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଏହି ୩୦ଟି ପୌରାଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଯୋଜନାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏ ନେଇ ୩୦ଟି ପୌରାଞ୍ଚଳର ସମସ୍ତ ବରିଷ୍ଠଅଧିକାରୀମାନଙ୍କୁ ଭିଡିଓ କନ୍‌‌ଫରେନ୍ସିଂ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶାର ଗଂଜାମ ଜିଲ୍ଲାରେ ମେ’ ୨ ତାରିଖଠାରୁ ଯେଉଁଭଳି ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା ଚିନ୍ତାଜନକ। ତେଣୁ ବ୍ରହ୍ମପୁର ପୌରାଞ୍ଚଳକୁ କୋଭିଡ-୧୯ର ଅବରୋଧ ରଣନୀତି ଏବଂ ମୁକାବିଲାର ବିଭିନ୍ନ ଦିଗକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି। ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀର ୧୫ତମ ବୈଠକରେ ୩୦ଟି ପୌରାଞ୍ଚଳରେ ସର୍ବାଧିକ କରୋନା ସଂକ୍ରମଣର ମାମଲା ସମ୍ପର୍କରେ ଆଲୋଚନା ହେବା ପରେ କେନ୍ଦ୍ର ସ୍ବାସ୍ଥ ସଚିବ ୩୦ଟି ପୌରାଞ୍ଚଳର ଜିଲ୍ଲାପାଳ, ଏସ୍‌ପି ତଥା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ସହିତ ଆଲୋଚନା କରି ଅବରୋଧ ରଣନୀତି ଲାଗୁ କରିବା ସହିତ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସହରାଞ୍ଚଳ ବସ୍ତି ଓ ଅନଧିକୃତ କଲୋନିଗୁଡ଼ିକରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନୂଆ ଗାଇଡ୍‌ଲାଇନ୍‌ଗୁଡ଼ିକର ପାଳନ ପାଇଁ ମଧ୍ୟ ୩୦ଟି ପୌରାଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଗାଇଡ୍‌ଲାଇନ୍‌ରେରେ ଗୋଷ୍ଠୀ ସଂକ୍ରମଣ ସ୍ଥାନ, ସାର୍ବଜନିନ ‌ଶୌଚାଳୟ, ରାସନ ବଣ୍ଟନ କେନ୍ଦ୍ର ଓ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତ୍ବ ପାଳନରେ ଯେଭଳି କୌଣସି ବ୍ୟତିକ୍ରମ ନ ଘଟେ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ବ୍ୟାପକ ରୂପେ ଦେଖା ଦେବା ୧୫ରୁ ଅଧିକ କରୋନା ସଂକ୍ରମଣ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ଅଲଗା ଅବରୋଧ ଯୋଜନା ପ୍ରସ୍ତୁତ କରାଯିବା ପାଇଁ ପୌର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଯୋଦ୍ଧା ସମ୍ପର୍କିତ ପ୍ରସ୍ତୁତ ଡାଟାବେସ୍‌ରୁ ଉପଲବ୍ଧ ମାନବ ସମ୍ବଳର ସୂଚନା ହାସଲ କରାଯାଇ ସେମାନଙ୍କୁ କାର୍ଯ୍ୟରେ ମୁତୟନ କରାଯାଇପାରିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସ୍‌ରେ ୩୦ଟି ପୌରାଞ୍ଚଳ ରହିବ ତଥା ଏସବୁ ପ୍ରଭାବିତ ଅଞ୍ଚଳର ଲଗାତାର ମନିଟରିଂ କରାଯାଇ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦିଆଯିବ ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର