ମୁମ୍ବାଇ: ଚର୍ଚ୍ଚାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ। ଆମେରିକାର ପ୍ରତିଷ୍ଠିତ ଟାଉନ ଆଣ୍ଡ କଣ୍ଟ୍ରି ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ଶୀର୍ଷ ପରୋପକାରୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଛନ୍ତି ନିତା।  ୨୦୨୦ ମସିହାର ଶ୍ରେଷ୍ଠ ପରୋପକାରୀ (ଫିଲାନଥ୍ରୋପିଷ୍ଟ) ତାଲିକାରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

Advertisment

ଆଗଧାଡ଼ିର କରୋନା ଯୋଦ୍ଧା ଏବଂ ଗରିବ ତଥା ଅସହାୟ ଲୋକଙ୍କୁ ଭୋଜନ ପ୍ରଦାନ, ରିଲିଫ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଓ ଭାରତର ପ୍ରଥମ କୋଭିଡ ୧୯ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ କାର୍ଯ୍ୟ କରିଥିବା ନିତା ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ପ୍ରଶଂସା କରାଯାଇ ପତ୍ରିକା ପକ୍ଷରୁ ଏପରି ଘୋଷଣା କରାଯାଇଛି।  ଏଥିରେ ସ୍ଥାନ ପାଇଥିବା ବିଶ୍ୱର ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି ଟିମ୍ କୁକ୍‌, ଅପ୍ରା ୱିନଫ୍ରେ, ଲରେନ ପାୱେଲ ଜବସ୍‌, ଲରଙ୍ଗ ଫ୍ୟାମିଲି, ଡୋନା ଟେଲା ଭର୍ସେସ୍‌, ମାଇକେଲ ବ୍ଲୁମବର୍ଗ, ଲିଓନାଡୋ ଡିକାପ୍ରିଓ ଇତ୍ୟାଦି ।

publive-image

ନିଜର ସଫଳତାକୁ ନେଇ ନିତା ଅମ୍ବାନୀ କହିଛନ୍ତି ‘‘ସଙ୍କଟ ସମୟରେ ସବୁ ବେଳେ ତତ୍କାଳ ଧ୍ୟାନ ଦେବାର ଆବଶ୍ୟକତା ରହିଥାଏ  ଏବଂ ତତ୍କାଳ ସହାୟତା, ସମ୍ବଳ, ସରଳତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଉଦାରତାର ଆବଶ୍ୟକତା ରହିଥାଏ । ଦୀର୍ଘ ବର୍ଷ ଧରି  ରିଲାଏନ୍ସ ଫାଉଣ୍ଡେସନ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଆମେ ସଙ୍କଟ ସମୟରେ ବହୁବିଧ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଆସିଛୁ । ବିଶ୍ୱସ୍ତରରେ ଆମର କାର୍ଯ୍ୟ ଓ ପଦ କ୍ଷେପକୁ ସ୍ୱୀକୃତି ମିଳିଥିବାରୁ ଆମେ ବେଶ୍ ଆନନ୍ଦିତ ଓ କୃତଜ୍ଞ । ଯେତେବେଳେ ଆବଶ୍ୟକତା ପଡିବ ସରକାର ଓ ସମାଜକୁ ସହାୟତା କରିବା ପାଇଁ ଆମେ ପ୍ରତିବଦ୍ଧ । ’’

ଆପଣ ଜାଣିଥିବେ ନିଶ୍ଚୟ ଯେ ମୁମ୍ବାଇରେ ୧୦୦ ଶଯ୍ୟା ବିଶିଷ୍ଟ ଭାରତର ପ୍ରଥମ କୋଭିଡ ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ ଏବଂ ପରବର୍ତ୍ତୀ ସମୟରେ ଏହାକୁ ୨୨୦ ଶଯ୍ୟାକୁ ସଂପ୍ରସାରଣ, ଦେଶବ୍ୟାପୀ ଅନ୍ନ ସେବା ଜରିଆରେ ୫ କୋଟିରୁ ଅଧିକ ଭୋଜନ ବଣ୍ଟନ, ଜରୁରୀକାଳୀନ ବାହାନଗୁଡିକୁ ମାଗଣା ଇନ୍ଧନ ଯୋଗାଣ, ଗ୍ରାମୀଣ ଅଂଚଳରେ ସହାୟତା, ପଶୁପକ୍ଷୀ ଓ ଗୃହପାଳିତ ପଶୁଙ୍କୁ ଖାଦ୍ୟ ପ୍ରଦାନ ପରି ଉଲ୍ଲେଖନୀୟ କାର୍ଯ୍ୟ ସବୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କରାଯାଇଛି।