ସୁଇସାଇଡ ନୋଟରେ ଶିକ୍ଷକ ଲେଖିଯାଇଥିଲେ, ‘ଝିଅ ମୁଖାଗ୍ନୀ ଦେଲେ ହିଁ ମୋର ଆତ୍ମାକୁ ଶାନ୍ତି ମିଳିବ’

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶର ଦେଓରିଆ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ଘରୋଇ ବିଦ୍ୟାଳୟର ପରିଚାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା ପରେ ବିଦ୍ୟାଳୟର ପରିଚାଳକଙ୍କ ନିକଟରୁ ସାତ ପୃଷ୍ଠାର ଏକ ସୁଇସାଇଡ ନୋଟ ଜବତ ହୋଇଛି ।

ଯେଉଁଥିରେ ସେ ତାଙ୍କ ପତ୍ନୀ ନୀତୁଙ୍କୁ କ୍ଷମା ମାଗିବା ସହିତ ଲେଖିଛନ୍ତି-  ‘ନୀତୁ ମୁଁ ଦୁଃଖିତ, ହେଲେ ତୁମେ ତୁମର ଲକ୍ଷ୍ୟକୁ କେବେ ଭୁଲିବ ନାହିଁ । ଆମ ଝିଅର ଯତ୍ନ ନେବ । କେବଳ ଏତିକି ନୁହଁ ଝିଅ ଆରାଧ୍ୟା ମୋର ମୁଖାଗ୍ନୀ ଦେବ, ଏହା କଲେ ଯାଇ ମୁଁ ଶାନ୍ତି ପାଇବି, ମୋ ଆତ୍ମାକୁ ଶାନ୍ତି ମିଳିବ । ମୋର ସ୍ୱପ୍ନ ଅଛି କି ମୋ ଝିଅ ବଡ଼ ହୋଇ ଭିବଷ୍ୟତରେ ଜଣେ ଅଧିକାରୀ ହେଉ।’

ସୂଚନାଯୋଗ୍ୟ, ଅମିତ ଯାଦବ ମୁମ୍ବାଇରୁ କମ୍ପ୍ୟୁଟର ଇଞ୍ଜିନିୟର ପଢ଼ିବା ପରେ ଗାଁକୁ ଫେରି ଆସିଥିଲେ ।  ପାଞ୍ଚ ବର୍ଷ ପୂର୍ବେ ସେ ଏଲ୍‌ବିଆର ପବ୍ଲିକ୍ ସ୍କୁଲରେ କାମ କରୁଥିଲେ । ଏହି ସମୟରେ ସେ  ବ୍ୟାଙ୍କରୁ ଲୋନ୍‌ ନେଇ ଦୁଇଟି ବସ୍ ଏବଂ ତିନୋଟି ଗାଡି କିଣିଥିଲେ।  ଲକଡାଉନରେ ସ୍କୁଲ ବନ୍ଦ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ । ଟଙ୍କା ଅଭାବରୁ କିସ୍ତି ଜମା କରି ପାରୁ ନଥିଲେ। ଚାପରେ ରହୁଥିଲେ ।

ଗତ ସୋମବାର ଦିନ ସନ୍ଧ୍ୟାରେ ସ୍କୁଲକୁ ଯାଇଥିଲେ ଅମିତ ଯାଦବ । ସେଠାରେ ସେ ସ୍କୁଲ୍‌ ରୁମ୍‌ରେ ନିଜକୁ ବନ୍ଦ କରି ଫ୍ୟାନରେ କପଡା ଟାଙ୍ଗି ଆତ୍ମହତ୍ୟା କରିଥିଲେ । ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପତ୍ନୀ ସ୍କୁଲରେ ପହଞ୍ଚିଥିଲେ । ସେଠାରେ ବହୁ ଖୋଖୋଜି ପରେ ଅମିତ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅମିତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ଅମିତଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର