ନୂଆଦିଲ୍ଲୀ: ଚୀନ୍ରେ ଶୂନ୍ୟ କୋଭିଡ ନୀତି ହଟିଯିବା ପରେ କରୋନା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ହସ୍ପିଟାଲରେ ଶଯ୍ୟା ନ ଥିବା ବେଳେ ଶବ ଦାହ ପାଇଁ ଲୋକମାନଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା ଭୂତାଣୁ ହେଉଛି ଓମ୍ରିକନ୍ ବିଏଫ୍.୭। ତେବେ ଏହା କାରଣରୁ ଭାରତରେ ମଧ୍ୟ କରୋନାର ଆଉ ଏକ ଲହରକୁ ଏଡ଼ାଇ ଦିଆଯାଇ ନ ପାରେ। ମାତ୍ର ତାହା ସେତେଟା ଭୟଙ୍କର ହେବନାହିଁ। ପୂର୍ବରୁ ଦେଶରେ ଓମିକ୍ରନ୍ର ଲହର ଆସିଥିବା ବେଳେ ବିଏଫ୍.୭ ମଧ୍ୟ ଦେଶରେ ଅକ୍ଟୋବର ମାସରେ ଚିହ୍ନଟ ହୋଇସାରିଛି। ତେଣୁ ବିଏଫ୍.୭ ଯୋଗୁଁ କରୋନାର ସିଧାସଳଖ ପ୍ରଭାବ କମ୍। ମାତ୍ର ଏହା ଅନ୍ୟ ପ୍ରକାର ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛନ୍ତି ତକ୍ଷଶୀଳା ଇନ୍ଷ୍ଟିଚ୍ୟୁଟ୍ ଅଫ ଫିଜିସିଆନ୍ର ଗବେଷକ ହର୍ଷିତ କୁକ୍ରେଜା।
ଶ୍ରୀ କୁକ୍ରେଜାଙ୍କ ମତରେ ଚୀନ୍ରେ କରୋନା ସଂକ୍ରମଣ ପାଇଁ ବିଶ୍ବର ଅର୍ଥନୀତି ଓ ସପ୍ଲାଏ ଚେନ୍ ବ୍ୟାଘାତ ହେବା ସ୍ବାଭାବିକ୍। ମୋବାଇଲଠାରୁ ଆରମ୍ଭ କରି କାର୍ରେ ବ୍ୟବହାର ହେଉଥିବା ସେମିକଣ୍ଡକ୍ଟର ଉତ୍ପାଦନ, ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବ। ପ୍ରଥମ କୋଭିଡ୍ ଲହରରୁ ଏସବୁର ଅଭାବ ସଂପୂର୍ଣ୍ଣ ମୁକୁଳି ପାରି ନାହିଁ। ଏହାସହ ଚୀନ୍ ଅନେକ ସାମଗ୍ରୀ ନିର୍ମାଣ ପାଇଁ କଞ୍ଚା ମାଲ ଯୋଗାଣ କରିଥାଏ। ଔଷଧ ପାଇଁ ଆବଶ୍ୟକ ଏପିଆଇ(ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟ) ଚୀନ୍ରୁ ଆସୁଥିବା ବେଳେ କୋଭିଡ ପାଇଁ ଏହା ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇସାରିଛି। ତେବେ ଚୀନ୍ରେ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିବା ପରେ କରୋନାର ମାନବ ଶରୀରରେ ମ୍ୟୁଟେଟ୍ କରିବାର ସୁଯୋଗ ପାଇବ। ନୂଆ ପ୍ରଜାତି ଭାରତ ସମେତ ବିଶ୍ବରେ ମଧ୍ୟ ଏକାଧିକ ନୂଆ ଲହର ଆଣିପାରେ।
/sambad/media/post_attachments/wp-content/uploads/2022/12/covid-gggg-750x430.jpg)
ସଂକ୍ରମଣକୁ ଦେଖି ଚୀନ୍ରୁ ଆସୁଥିବା ବିମାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରାଯାଉଛି। ମାତ୍ର ଏହି ଦାବି ଯୁକ୍ତିଯୁକ୍ତ ନୁହେଁ। କାରଣ ୨ମାସ ପୂର୍ବରୁ ଭାରତରେ ବିଏଫ୍.୭ ଚିହ୍ନଟ ହୋଇସାରିଛି। ତେଣୁ ବିମାନ ଚଳାଚଳ ବନ୍ଦ ହେଲେ ଭାରତୀୟ ଅର୍ଥନୀତିର ଅଧିକ କ୍ଷତି ହେବ। ତେଣୁ ବିଦେଶ ବିଶେଷକରି ଚୀନ୍ରୁ ଆସୁଥିବା ଯାତ୍ରୀମାନଙ୍କ ବିମାନ ବନ୍ଦରରେ ଆରଟି-ପିସିଆର ପରୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଉ। ଏହାସହ ଜୀନ୍ ଅନୁଶୀଳନକୁ ବଢ଼ାଇବା ଜରୁରୀ। ନିକଟରେ କେନ୍ଦ୍ର ସରକାର ସମସ୍ତ କୋଭିଡ ନମୁନାର ଜୀନ୍ ଅନୁଶୀଳନ କରିବା ପାଇଁ ଘୋଷଣା କରିଛନ୍ତି। ଯାହାଫଳରେ ଦେଶରେ କରୋନାର କୌଣସି ନୂଆ ପ୍ରଜାତି କିମ୍ବା ବିପଦଜନକ ମ୍ୟୁଟେସନ୍ ଚିହ୍ନଟ ହୋଇପାରିବ।
/sambad/media/post_attachments/wp-content/uploads/2022/12/covid-bf7-f-750x430.jpg)
ବିଏଫ୍.୭ ଉପ-ପ୍ରଜାତି କ’ଣ ?
ବିଏଫ୍.୭ରେ ଆକ୍ରାନ୍ତ ବ୍ୟକ୍ତି ୧୦-୧୮ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ।
ଓମିକ୍ରନ୍ ୫ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ବିଏଫ୍.୭ ଯଥେଷ୍ଟ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି।
ଲାବୋରେଟାରି ପରୀକ୍ଷାରୁ ବିଏଫ୍.୭ ଭୂତାଣୁ ଶରୀରରେ ଥିବା ଆଣ୍ଟିବଡିକୁ ହ୍ରାସ କରିପାରୁଛି।
ବିଏଫ୍.୭ କରୋନାର ଅନ୍ୟ ପ୍ରଜାତି ତୁଳନାରେ ଅଧିକ ସଂକ୍ରାମକ। ଏହାସହ ଶରୀରରେ ଅଧିକ ମାତ୍ରାରେ ବ୍ରେକ୍ ଥ୍ରୁ ସଂକ୍ରମଣ କରିପାରୁଛି।
ଏହି ପ୍ରଜାତିରେ ପୂର୍ବରୁ ଆର୩୪୬ଟି ସ୍ପାଇକ୍ ପ୍ରୋଟିନ୍ରେ ମ୍ୟୁଟେସନ୍ ହୋଇଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତିକୁ ଖସିପାରିବାରେ ସକ୍ଷମ ହୋଇପାରୁଛି।
ବ୍ୟାପକ ଟିକାକରଣ ଦ୍ବାରା ଏହାକୁ ପ୍ରତିହତ କରାଯାଇପାରିବ।
ଘରୋଇ କ୍ଷେତ୍ରରେ ଏମ୍ଆରଏନ୍ଏ ଟିକାକୁ ପ୍ରୋତ୍ସାହିତ କରିବା ଜରୁରୀ।
ଏକାଧିକ ଟିକାର ଉପଯୁକ୍ତ ମିଶ୍ରଣ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବ।
ପାକ୍ସଲୋଭିଡ ଔଷଧ କରୋନାଜନିତ ମୃତ୍ୟୁକୁ ହ୍ରାସ କରିବା ସହିତ ଲଙ୍ଗ୍ ବା ଦୀର୍ଘସ୍ଥାୟୀ କୋଭିଡ୍କୁ କମାଇପାରିବ।
ନାଜାଲ ଟିକାକୁ ଯଥାଶୀଘ୍ର ଅନୁମୋଦନ ଦିଆଯିବା ଆବଶ୍ୟକ।
ପ୍ରାଥମିକ ଅନୁସନ୍ଧାନରୁ ଏହି ଟିକା ଅଧିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରୁଛି।
ମାସ୍କ, ସାମାଜିକ ଦୂରତା ଓ ଇନଡୋର ଭେଣ୍ଟିଲେସନ୍କୁ ନେଇ ଅଧିକ ମାତ୍ରାରେ ସଚେତନତା ଉପରେ ଗୁରୁତ୍ବ ଦିଆଯାଉ।