ନୂଆଦିଲ୍ଲୀ : ଭାରତ ବା ବିଏଚ୍ ସିରିଜ୍ ପଞ୍ଜୀକରଣ କେବଳ ନୂଆ ଗାଡ଼ିରେ ସୀମିତ ରହିବ ନାହିଁ। ସାଧାରଣ ପଞ୍ଜୀକରଣରେ ଚାଲୁଥିବା ଗାଡ଼ିକୁ ବିଏଚ୍ ପଞ୍ଜୀକରଣରେ ସାମିଲ କରାଯାଇପାରିବ। ଏଥିପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ସୁବିଧା ପାଇବା ଲାଗି ସାଧାରଣ ପଞ୍ଜୀକରଣ ହାସଲ କରିଥିବା ଗାଡ଼ିର ମାଲିକଙ୍କୁ ଆବଶ୍ୟକ ଟିକସ ଦେବାକୁ ପଡ଼ିବ।
ବିଏଚ୍ ସିରିଜ୍ ପଞ୍ଜୀକରଣ ନିମନ୍ତେ ଆବେଦନ କରିବା ଲାଗି ଯେଉଁ ନିୟମ ରହିଛି, ସେଥିରେ ମଧ୍ୟ ସରକାର ସଂଶୋଧନ କରିବା ଉପରେ ବିଚାର କରୁଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେଲେ ଲୋକମାନେ ନିଜ ବାସସ୍ଥାନ କିମ୍ବା କର୍ମ କ୍ଷେତ୍ରରୁ ଏହି ପଞ୍ଜୀକରଣ ଲାଗି ଆବେଦନ କରିପାରିବେ। ଏହାର ଅପବ୍ୟବହାର ରୋକିବା ଲାଗି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ‘ୱାର୍କିଂ ସାର୍ଟିଫିକେଟ୍’ ଦାଖଲ କରିବାକୁ କୁହାଯିବ।