ମୁସଲିମଙ୍କଠାରୁ ଭାଗବତ ଅଧିକ ‘ଭାରତୀୟତା’ ଚାହାନ୍ତି: ଅୱେସି

ନୂଆଦିଲ୍ଲୀ: ନିକଟରେ ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସୱାଇ କ୍ୟୁରେସି ଓ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ ଜଙ୍ଗଙ୍କ ସମେତ ୫ ଜଣ ବ୍ୟକ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ କରିଥିଲେ। ଭାଗବତଙ୍କ ସହିତ ଏହି ମୁସଲିମ ବୁଦ୍ଧିଜୀବୀମାନଙ୍କର ହୋଇଥିବା ଆଲୋଚନା ସାଧାରଣରେ ପ୍ରକାଶ ପାଇସାରିଛି। ଗୋଟିଏ ପଟେ ସବୁଧର୍ମକୁ ସମ୍ମାନ ଦେବାପାଇଁ ଆରଏସଏସର ଏହା ଏକ କାର୍ଯ୍ୟକ୍ରମ ଥିଲା ବୋଲି କୁହାଯାଉଥିଲେ ମଧ୍ୟ ଅନ୍ୟପକ୍ଷରେ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଅୱେସି ଏହି ଭେଟଘାଟକୁ ସମାଲୋଚନା କରିଛନ୍ତି।

ଅୱେସି କହିଛନ୍ତି, ଉକ୍ତ ମୁସଲିମ ବୁଦ୍ଧିଜୀବୀମାନେ ମୁସଲିମ ସଂପ୍ରଦାୟର ପ୍ରତିନିଧିତ୍ବ କରନ୍ତି ବୋଲି ଦାବି କରିଛନ୍ତି। କିନ୍ତୁ ସେମାନେ କୌଣସି ମୁସଲିମ ସଂଗଠନର ପ୍ରତିନିଧିତ୍ବ କରନ୍ତି ନାହିଁ। ସେମାନେ କହିବା ଉଚିତ ଥିଲା ଯେ ଆରଏସଏସ ମୁଖ୍ୟଙ୍କୁ ସେମାନେ ବ୍ୟକ୍ତିଗତ ଅଧିକାର ବଳରେ ଭେଟିଛନ୍ତି।
ମୋହନ ଭାଗବତଙ୍କ ସହିତ ଉକ୍ତ ୫ ଜଣ ବ୍ୟକ୍ତିଙ୍କ ଆଲୋଚନା ଅଗଷ୍ଟରେ ହୋଇଥିଲା। ସେମାନେ ପୂର୍ବରୁ କାହିଁକି ଏ ସଂପର୍କରେ କିଛି କହି ନଥିଲେ। ଏଥିସହିତ ସେମାନେ ପୂରା ସତ କହୁନାହାନ୍ତି। ସତ ହେଉଛି ଆରଏସଏସ ମୁଖ୍ୟ ସେମାନଙ୍କୁ ଦେଶରେ ମଦ୍ରାସା ସଂଖ୍ୟା ହ୍ରାସ ପାଇଁ କହିବା ସହିତ ଭାରତୀୟ ମୁସଲମାନମାନଙ୍କ ଠାରୁ ଅଧିକ ‘ଭାରତୀୟତା’ ପ୍ରଦର୍ଶନ ଚାହିଛନ୍ତି।

ଆରଏସଏସ ଏବଂ ବିଜେପି ଦୀର୍ଘଦିନ ହେଲା ଅଧିକ ‘ଭାରତୀୟତା’ କଥା କହି ଆସୁଛନ୍ତି ସଂପର୍କିତ ପ୍ରଶ୍ନର ଉତ୍ତରରେ ଅୱେସି କହିଛନ୍ତି, ସବରକରଙ୍କ ଦ୍ବାରା ପ୍ରଚାରିତ ହିନ୍ଦୁତ୍ବ ବିଚାରଧାରାକୁ ଆରଏସଏସ ଛାଡ଼ିଲାଣି କି ନାହିଁ? ସବରକରଙ୍କ କହିବାନୁଯାୟୀ, ହିନ୍ଦୁ ହେଉଛି ସିଏ ଯିଏ ଭାରତକୁ ନିଜର ମାତୃଭୂମି ଏବଂ ପବିତ୍ରଭୂମି ବୋଲି ବିବେଚନା କରେ। ଉଭୟ ପକ୍ଷ ସାଂପ୍ରଦାୟିକ ଏକତା ଅଭାବକୁ ନେଇ ଚିନ୍ତିତ ବୋଲି ପ୍ରଶ୍ନରେ ଅୱେସି କହିଛନ୍ତି, ଯଦି ଉଭୟ ପକ୍ଷ ଚିନ୍ତିତ ତା’ହେଲେ ଆରଏସଏସ ମୁଖ୍ୟ କାହିଁକି ଏସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଅବଗତ କରୁନାହାନ୍ତି? ଏଥିସହିତ ଜାତୀୟ ସଂହତି ପରିଷଦର ବୈଠକ ଡାକିବା ପାଇଁ ଆରଏସଏସ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇପାରିବ। ଆସାମରେ କାହିଁକି ମଦ୍ରାସା ଭଙ୍ଗାଯାଉଛି? ଉତ୍ତର ପ୍ରଦେଶରେ ମଦ୍ରାସାର ସର୍ଭେ କାହିଁକି କରାଯାଉଛି? ସେହି ନ୍ୟାୟରେ ମିସନାରି ସ୍କୁଲ, ଘରୋଇ ସ୍କୁଲ, ସରକାରୀ ସ୍କୁଲ ଏବଂ ଆରଏସଏସ ଦ୍ବାରା ପରିଚାଳିତ ସ୍କୁଲର ସର୍ଭେ କାହିଁକି ହେବନାହିଁ? ବୋଲି ଅୱେସି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର