ମାର୍ଚ୍ଚ ୧୬ରେ ନିଜ ପୈତୃକ ଗାଁରେ ଶପଥ ନେବେ ଭଗଓ୍ବନ୍ତ ମାନ୍

ନୂଆଦିଲ୍ଲୀ : ମାର୍ଚ୍ଚ ୧୬ରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ଆପ୍ ନେତା ଭଗଓ୍ବନ୍ତ ମାନ । ତେବେ ସେ ଚଣ୍ଡିଗଡ଼ରେ ଶପଥ ଗ୍ରହଣ ନ କରି ନିଜର ପୈତୃକ ଗାଁ ଖଟକର କଲାନଠାରେ ଶପଥ ନେବେ । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଉପସ୍ଥିତ ରହିବେ ।

ଏହା ପୂର୍ବରୁ ଆସନ୍ତା ୧୩ ତାରିଖରେ ଭଗଓ୍ବନ୍ତ ମାନ ଅମୃତସରଠାରେ ଏକ ରୋଡସୋରେ ଅଂଶଗ୍ରହଣ କରିବେ । ଏହି ରୋଡସୋରେ ବି କେଜ୍ରିଓ୍ବାଲ ଯୋଗ ଦେବେ । ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ମାନ୍ ଶୁକ୍ରବାରଦିନ ଦିଲ୍ଲୀ ଯାଇ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ।

୧୧୭ ଆସନ ବିଶିଷ୍ଟ ପଞ୍ଜାବ ନିର୍ବାଚନରେ ଆପ୍ ୯୨ଟି ଆସନରେ ଜିତି ଐତିହାସିକ ସଫଳତା ହାସଲ କରିଛି ।  ଆପକୁ ପ୍ରାୟ ୪୨ ପ୍ରତିଶତ ଭୋଟ ମିଳିଛି । ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପଂଜାବର ଧୁରି ଆସନରୁ ବିପୁଳ ଭୋଟ ବ୍ୟବଧାନରେ ଜିତିଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଦଲବୀର ସିଂ ଗୋଲଡିଙ୍କୁ ୫୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଅନ୍ୟ ପକ୍ଷରେ କଂଗ୍ରେସ ମାତ୍ର ୧୮ଟି ଆସନରେ ଜିତିଛି । ଏପରିକି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଓ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ବି ହାରିଯାଇଛନ୍ତି ।

ସମ୍ବନ୍ଧିତ ଖବର