ସୁପାରିଶଠାରୁ ଦୂରେଇ ରୁହ, ଯୋଗ୍ୟ ପିଲାଙ୍କୁ ଚାକିରି ମିଳିବା ଦରକାର: ଭଗୱନ୍ତ ମାନ

ଚଣ୍ଡୀଗଡ଼: ଗତକାଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ନବଗଠିତ କ୍ୟାବିନେଟ୍‌ ବୈଠକର ଅଧ୍ୟକ୍ଷତା କରି ପଞ୍ଜାବ ଯୁବପିଢ଼ିଙ୍କୁ ୨୫ହଜାର ଚାକିରି ଦିଆଯିବ ବୋଲି ଘୋଷଣା କରିଥିଲେ। ଗୋଟିଏ ମାସ ମଧ୍ୟରେ ୨୫ହଜାର ଚାକିରି ଦିଆଯିବ ବୋଲି ଭଗୱନ୍ତ ଘୋଷଣା କରିଥିବା ବେଳେ ଆଜି ଏହାକୁ ନେଇ ‌ଆଉ ଏକ ବଡ଼ ‌କଥା କହିଛନ୍ତି ଭଗୱନ୍ତ। ଦଳର ବିଧାୟକମାନଙ୍କୁ ସୁପାରିଶଠାରୁ ଦୂରେଇ ରହିବାକୁ କହିଛନ୍ତି ଭଗୱନ୍ତ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆଜି ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକମାନଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ସଚ୍ଚୋଟତାର ସହ କାମ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଅନେକ ୨୫ହଜାର ଚାକିରି ପାଇଁ ଆପଣଙ୍କୁ ସୁପାରିଶ କରିବେ ଏବଂ ଆପଣଙ୍କୁ ଲାଞ୍ଚ ଦେବେ। ଏସବୁଠାରୁ ଦୂରରେ ରୁହନ୍ତୁ। ଆମ୍ ଆଦମୀ ପାର୍ଟିରେ ଦୁର୍ନୀତିର ସ୍ଥାନ ନାହିଁ।

ତେବେ ଗତକାଲିର ବୈଠକରେ ୨୫ ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ଚାକିରି ପୁଲିସ ବିଭାଗରେ ଓ ଅବଶିଷ୍ଟ ୧୫ହଜାର ଚାକିରି ଅନ୍ୟ ବିଭାଗର ରହିବ ବୋଲି କୁହାଯାଇଥିଲା। ୧ମାସ ମଧ୍ୟରେ ୨୫ ହଜାର ଚାକିରି ସୁଯୋଗ ସୃଷ୍ଟି କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ପରେ ପ୍ରଚାର ସମୟରେ ଭଗୱନ୍ତ ମାନ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍‌ରେ ଜଣେ ନେତ୍ରୀଙ୍କ ସମେତ ‘ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଥିଲେ। ପଞ୍ଜାବରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପରେ ପରେ ଆଜି ନବଗଠିତ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧିତ ଖବର