ପଞ୍ଜାବରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ମାନ୍‌; ମାର୍ଚ ୧୬ ଗ୍ରହଣ କରିପାରନ୍ତି ଶପଥ

ଚଣ୍ଡୀଗଡ଼: ପଞ୍ଜାବରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବା ଲାଗି ଆଜି ଆପ୍‌ ନେତା ଭଗୱନ୍ତ ମାନ୍‌ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତଙ୍କୁ ଭେଟିଛନ୍ତି।

ରାଜଭବନରୁ ବାହାରିବା ପରେ ମାନ୍‌ ସାମ୍ବାଦିକମାନଙ୍କୁ କହିଲେ, ଶପଥ ଗ୍ରହଣ ଉତ୍ସବ ସ୍ଥାନ ଓ ସମୟ ସଂକ୍ରାନ୍ତରେ ଜଣାଇବା ଲାଗି ରାଜ୍ୟପାଳ ମତେ ପଚାରୁଥିଲେ। ମାର୍ଚ ୧୬ ତାରିଖ ଅପରାହ୍ଣ ୧୨.୩୦ରେ ଖଟକଡ଼ କଲାଁରେ ଆୟୋଜନ ହେବ ବୋଲି ମୁଁ କହିଛି।

Image Courtesy of India Today

ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ମାନ୍‌ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ଆମ ବିଧାୟକମାନଙ୍କ ସମର୍ଥନ ଥିବା ପତ୍ର ଦେଲି ଓ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କଲି। ଶପଥ ଗ୍ରହଣ ଉତ୍ସବ କେଉଁଠି କରିବାକୁ ମୋର ଇଚ୍ଛା ଅଛି ବୋଲି ସେ ପଚାରିଲେ। ମୁଁ କହିଲି, ମାର୍ଚ ୧୬ ତାରିଖ ଅପରାହ୍ଣ ୧୨.୩୦ରେ ଭଗତ୍‌ ସିଂହଙ୍କ ପୈତୃକ ଗ୍ରାମ ଖଟକଡ଼ କଲାଁରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।

Image Courtesy of Rediffmail

ସେ ଆହୁରି ମଧ୍ୟ କହିଛନ୍ତି, ‘ଆମ୍‌ ଆଦ୍‌ମି ପାର୍ଟି’ (ଆପ୍) ଉତ୍ତମ କ୍ୟାବିନେଟ୍‌ ଗଠନ କରିବା ସହ ସ୍ମରଣୀୟ ନିଷ୍ପତ୍ତି ଗ୍ରହଣ କରିବ। ସମଗ୍ର ପଞ୍ଜବର ଘରୁ ଘରୁ ଲୋକେ ଶପଥ ଗ୍ରହଣ ଉତ୍ସବକୁ ଆସିବେ। ସେମାନ‌େ ମଧ୍ୟ ଭଗତ୍‌ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆମେ ଉତ୍ତମ କ୍ୟାବିନେଟ୍‌ ଗଠନ କରିବୁ, ପୂର୍ବରୁ କେବେ ଗ୍ରହଣ କରାଯାଇ ନ ଥିବା ସ୍ମରଣୀୟ ନିଷ୍ପତ୍ତି ନେବୁ। ତେଣୁ, ଟିକେ ଅପେକ୍ଷା କରନ୍ତୁ।

ଧୁରି ଆସନରୁ ୪୫୦୦୦ ଭୋଟ୍‌ରେ ନିର୍ବାଚନ ଜିଣିଥିବା ମାନ୍‌ ଶୁକ୍ରବାର ଦିନ ମାହୋଲିରେ ଅନୁଷ୍ଠିତ ବୈଠକରେ ‘ଆପ୍‌ ବିଧାୟକ ଦଳ’ ନେତା ଭାବେ ନିର୍ବାଚିତ ହୋଇଥିଲେ।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମାନ୍‌ ‘ଆପ୍‌’ର ଜାତୀୟ ଆବାହକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ରବିବାର ଦିନ ଦୁହେଁ ସ୍ବର୍ଣ୍ଣ ମନ୍ଦିର, ଦୁର୍ଗୀଆନା ମନ୍ଦିର ଏବଂ ଶ୍ରୀରାମ ତୀରଥ୍‌ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ‘ଆପ୍‌’ର ବିଜୟ ପାଳନ ଏବଂ ଭୋଟର୍‌ମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ଅମୃତସରରେ ଆୟୋଜିତ ରୋଡ୍‌ସୋ’ରେ ମଧ୍ୟ ଦୁହେଁ ଭାଗ ନେବେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ଇସ୍ତଫା ପ୍ରଦାନ କରିବା ପରେ ରାଜ୍ୟପାଳ ପୁରୋହିତ ୧୫ଶ ବିଧାନସଭା ଭଙ୍ଗ କରିଥିଲେ।

ସମ୍ବନ୍ଧିତ ଖବର