ପଞ୍ଜାବର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ କାର୍ଯ୍ୟଭାର ଗ୍ରହଣ କଲେ ଭଗଓ୍ଵବନ୍ତ ମାନ

ଚଣ୍ଡିଗଡ଼: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ଵନ୍ତ ମାନ ଆଜି ଶପଥ ଗ୍ରହଣ କରିଛନ୍ତି।
ପଞ୍ଜାବର ସହିଦ ଭଗତ ସିଂ ନଗର ଜିଲ୍ଲାର କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକର କାଲାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଭାବେ ମାନ୍‌ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ ସମାରୋହ ପରେ, ମାନ କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟରୁ ବେରୋଜଗାରୀ, ଦୁର୍ନୀତି ଏବଂ କୃଷକଙ୍କ ଦୁର୍ଦ୍ଦଶା ଭଳି ସମସ୍ୟାର ସମାଧାନ କରିବେ ଯାହା ରାଜ୍ୟକୁ ପ୍ରଭାବିତ କରୁଛି।
ଶପଥ ଗ୍ରହଣ ସମାରୋହରେ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମନ୍ତ୍ରାୀ ସତ୍ୟେନ୍ଦ୍ର ଜୈନ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନଥିଲା।

ପୂର୍ବାହ୍ନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅପରାହ୍ନରେ ଭଗଓ୍ଵନ୍ତ ମାନ ଚଣ୍ଡିଗଡ଼ର ପଞ୍ଜାବ ସଚିବାଳୟରେ ପହଞ୍ଚି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଆମ୍‌ ଆଦମୀ ପାର୍ଟି ନେତା ଭଓ୍ଵବନ୍ତ ମାନ୍‌ଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟର ଅଭିବୃଦ୍ଧି ପାଇଁ କେନ୍ଦ୍ର ତାଙ୍କ ସରକାରଙ୍କ ସହ ମିଶି କାମ କରିବ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଭଗଓ୍ଵନ୍ତ ମାନଜୀଙ୍କୁ ଅଭିନନ୍ଦନ। ପଞ୍ଜାବର ଅଭିବୃଦ୍ଧି ଏବଂ ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ ପାଇଁ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର