ତୃଣମୂଳ କଂଗ୍ରେସ ଛାଡ଼ିଲେ ଫୁଟବଲ ତାରକା ବାଇଚୁଙ୍ଗ ଭୁତିଆ

କୋଲକତା: ଭାରତୀୟ ଫୁଟବଲର ଜଣେ ମହାନ ତାରକା ବାଇଚୁଙ୍ଗ ଭୁତିଆ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଟ୍ଵିଟ୍‌ କରି ସେ ନିଜର ନିଷ୍ପତ୍ତି ଜଣାଇଦେଇଛନ୍ତି । ସ୍ୱତନ୍ତ୍ର ଗୋର୍ଖାଲାଣ୍ଡକୁ ନେଇ ନିଜସ୍ୱ ମତ ରଖି ସେ ବିଗତ କିଛି ମାସ ଧରି ଦଳରେ ବିବାଦୀୟ ହୋଇପଡିଥିଲେ ।

ସେ ଗତ ୨୦୧୧ରେ ପେସାଦାର ଫୁଟବଲରୁ ଅବସର ନେବାପରେ ୨୦୧୩ରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ତୃଣମୂଳ ଟିକେଟରେ ସେ ଦୁଇଥର ନିର୍ବାଚନ ଲଢିଥିଲେ । ୨୦୧୪ରେ ସେ ଦାର୍ଜିଲିଂ ଲୋକସଭା ଆସନରୁ ଛିଡା ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଏସଏସ ଆଲୁଓ୍ଵାଲିଆଙ୍କଠାରୁ ହାରିଯାଇଥିଲେ । ଦୁଇବର୍ଷ ପରେ ସେ ସିଲିଗୁଡ଼ି ବିଧାନସଭା ଆସନରୁ ଲଢି ସିପିଏମ ପ୍ରାର୍ଥୀ ଅଶୋକ ଭଟ୍ଟାଚାର୍ଯ୍ୟଙ୍କଠାରୁ ହାରି ଯାଇଥିଲେ । ତେବେ ସ୍ୱତନ୍ତ୍ର ଗୋର୍ଖାଲାଣ୍ଡ ପ୍ରଦେଶ ଗଠନକୁ ସମର୍ଥନ କରିବାରୁ ସେ ଦଳ ଭିତରେ ଏକଘରିଆ ହୋଇଯାଇଥିଲେ । ତୃଣମୂଳ କଂଗ୍ରେସ ଅଲଗା ଗୋର୍ଖାଲାଣ୍ଡ ଗଠନକୁ ବିରୋଧ କରୁଛି । ସେ ଏବେ ନୂଆଦିଲ୍ଲୀଠାରେ ଥିବା ନିଜର ଫୁଲବଲ ସ୍କୁଲ ଉପରେ ଅଧିକ ଧ୍ୟାନ ଦେବାକୁ ଯୋଜନା କରୁଛନ୍ତି । ସେ ୨୦୦୮ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ।

ସମ୍ବନ୍ଧିତ ଖବର