ଫଟୋ ଭଲ ଲାଗିଲା ବୋଲି ଆସିଲି, ନହେଲେ…; ବାଇକ୍ ବୁକ୍ କରିଥିବା ଯୁବତୀଙ୍କୁ ରାପିଡୋ ଚାଳକଙ୍କ ମେସେଜ

ନୂଆଦିଲ୍ଲୀ: ଫଟୋ ଭଲ ଲାଗିଲା ବୋଲି ଆସିଲି, ନହେଲେ କେବେ ବି ଏତେ ଦୂର ଆସିନଥାନ୍ତି। ଯୁବତୀ ହ୍ବାଟସଆପରେ ଲୋକେସନ ସେୟାର କରିବା ପରେ ଏଭଳି ମେସେଜ କଲେ ରାପିଡୋ ଚାଳକ। ଓଲା ଓ ଉବର ଭଳି ରାପିଡୋ ମଧ୍ୟ ଅନଲାଇନ ଜରିଆରେ ଯାତ୍ରୀଙ୍କ ପାଖରେ ପହଞ୍ଚେ। ରାପିଡୋ ଆପ୍ ମାଧ୍ୟମରେ ବାଇକ୍ ବୁକ କରି ଯାତ୍ରା କରିବାର ସୁବିଧା ରହିଛି। ତେବେ ଏହି ସୁବିଧାର ଫାଇଦା ଉଠାଇ ଜଣେ ରାପିଡୋ ଚାଳକ ଯୁବତୀଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଯୁବତୀଜଣକ ହ୍ବାଟସଆପରେ ଅଭିଯୁକ୍ତ ଚାଳକଙ୍କୁ ନିଜର ଲୋକେସନ ପଠାଇଥିଲେ। ଗନ୍ତବ୍ୟସ୍ଥଳରେ ଯୁବତୀଙ୍କୁ ଛାଡିବା ସହ ରାତି ୧ଟା ପରେ ଚାଳକଜଣକ ଯୁବତୀଙ୍କୁ ହ୍ବାଟସଆପରେ ମେସେଜ କରିଥିଲେ, ଯାହାର ସ୍କ୍ରିନସଟ ଏବେ ଭାଇରାଲ ହେବାରେ ଲାଗିଛି। ରାତି ୧ଟା ୨୫ମିନିଟରେ ହେଲୋ ମେସେଜ କରିବା ପରେ ଲଗାତାର ୪ଟା ମେସେଜ ପଠାଇଛନ୍ତି ଚାଳକ। ମେସେଜରେ ସେ ଲେଖିଛନ୍ତି, ଶୋଇପଡ଼ିଲଣି? କେବଳ ତୁମର ହ୍ବାଟସଆପରେ ଥିବା ଫଟୋ ଦେଖି ଓ ତୁମ କଣ୍ଠଶୁଣି ମୁଁ ଏତେ ବାଟ ଯାଇଥିଲି। ନହେଲେ ଲୋକେସନ ବହୁତ ଦୂର ଥିଲା। କେବେ ବି ଯାଇନଥାନ୍ତି। ଆଉ ହଁ, ଆଉ ଗୋଟିଏ କଥା, ମୁଁ ତୁମ ଭାଇ ନୁହଁ।

ଚାଳକ ଏଭଳି ମେସେଜ କରିବା ପରେ ଏହାର ସ୍କ୍ରିନସଟ ଟ୍ବିଟ କରି ରାପିଡୋକୁ ଟ୍ୟାଗ୍ କରିଛନ୍ତି ଯୁବତୀ। ହୁସ୍ନପରୀ ନାମକ ଆକାଉଣ୍ଟରୁ ସ୍କ୍ରିନସଟ ଟ୍ବିଟ କରାଯାଇଥିବା ବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ରାପିଡୋ।

ସମ୍ବନ୍ଧିତ ଖବର