ନୂଆଦିଲ୍ଲୀ: ନିକଟରେ ଏସ୍ସି/ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟକୁ ବିରୋଧ କରି ଆସନ୍ତାକାଲି ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ‘ସଂରକ୍ଷଣ ବଚାଓ ସଂଘର୍ଷ ସମିତି’ ଏହି ବନ୍ଦ ଡାକରା ଦେଇଛି। ମୁଖ୍ୟତଃ ରାଜସ୍ଥାନର ଏସ୍ସି/ଏସ୍ଟି ଗୋଷ୍ଠୀ ଏହି ବନ୍ଦକୁ ସମର୍ଥନ କରୁଛନ୍ତି। ଦେଶବ୍ୟାପୀ ଅନ୍ୟ ସ୍ଥାନରେ ମଧ୍ୟ ଏହି ବନ୍ଦକୁ ସମର୍ଥନ କରାଯିବ ବୋଲି ଆଶା କରାଯାଉଛି। ତେବେ ବନ୍ଦ ଏବଂ ଆନ୍ଦୋଳନ ବେଳେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ନିକଟରେ ଏସ୍ସି/ଏସ୍ଟି କୋଟାରୁ ‘କ୍ରିମି ଲେୟର’ ତଥା ସ୍ବଚ୍ଛଳ ବର୍ଗଙ୍କୁ ବାଦ୍ ଦେବାପାଇଁ ନିଷ୍ପତ୍ତି ନେବାପରେ ଏହାକୁ ବିରୋଧ କରି ଆସନ୍ତାକାଲି ଏହି ବନ୍ଦ ଡାକରା ଦିଆଯାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ କେରଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ। ଉକ୍ତ ୩ ରାଜ୍ୟରେ ସୁରକ୍ଷା ବୃଦ୍ଧି କରାଯାଇଛି। ତେବେ ବନ୍ଦ ସତ୍ତ୍ବେ ଜରୁରୀ ସେବା ଜାରି ରହିବ। ସରକାରୀ ଅଫିସ, ବ୍ୟାଙ୍କ୍, ସ୍କୁଲ୍ ଏବଂ କଲେଜ ଖୋଲା ରହିବ। ତେବେ ସାଧାରଣ ପରିବହନ ସେବା ବନ୍ଦ ରହିବ।