କୃଷି ବିଲ୍‌କୁ ବିରୋଧ କରି ‘ଭାରତ ବନ୍ଦ’ : ପଂଜାବ, ହରିୟାଣାରେ ସର୍ବାଧିକ ପ୍ରଭାବ

ଜାତୀୟ ରାଜପଥ ଅବରୋଧ, ୩୦ରୁ ଅଧିକ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଆଜି ଦେଶବ୍ୟାପୀ ୩୧ଟି କୃଷକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ କରାଯାଇଥିଲା। ପଂଜାବ ଏବଂ ହରିୟାଣାରେ ଏହି ବନ୍ଦ ପାଳନର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା। ପଂଜାବରେ ଅମୃତସର, ଫରିଦକୋଟ ସମେତ ଅନେକ ସହରରେ କୃଷକମାନେ ରେଳ ଟ୍ରାକ୍‌କୁ କବ୍‌ଜା କରିନେଇଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ପଂଜାବରେ ୩୦ରୁ ଅଧିକ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଭାରତୀୟ କୃଷକ ସଂଘ ଏବଂ ରିଭୋଲ୍ୟୁସନାରି ମାକ୍ସିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଅମୃତସର-ଦିଲ୍ଲୀ ଜାତୀୟ ରାଜପଥ ଅବରୋଧ କରାଯିବାରୁ ଉଭୟପଟେ ହଜାର ହଜାର ଯାନବାହନ ଅଟକି ରହିଥିଲା

ଦିଲ୍ଲୀ ସୀମାରେ ନଏଡାରେ ମଧ୍ୟ କୃଷକମାନେ ଜୋର୍‌ଦାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। କୃଷକମାନେ ଦିଲ୍ଲୀ-ନଏଡ଼ା ଜାତୀୟ ରାଜପଥ ଅବରୋଧ କରିବାରୁ ଯାତାୟତ ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ଟ୍ରାଫିକ୍‌ ଡାଇଭର୍ଟ କରାଯିବା ପରେ ପରିସ୍ଥିତି ସୁଧୁରିଥିଲା। ଦିଲ୍ଲୀ-ମିରଟ ରାଜପଥକୁ ଭାରତୀୟ କୃଷକ ସଂଘ ପକ୍ଷରୁ ପ୍ରାୟ ୪ ଘଣ୍ଟା ଧରି ଅବରୋଧ ରଖାଯାଇଥିଲା। ହରିୟାଣାରେ କୃଷକମାନେ ୩୦ରୁ ଅଧିକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା। ପାଟନାରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ କୃଷକଙ୍କ ଭାରତ ବନ୍ଦକୁ ସମର୍ଥନ କରି ଏକ ଟ୍ରାକ୍ଟରରେ ବିକ୍ଷୋଭ ସ୍ଥଳରେ ପହଞ୍ଚିଥିଲେ। ତେଜସ୍ବୀଙ୍କ ସହିତ ବହୁ ସଂଖ୍ୟାରେ ଆର୍‌ଜେଡି କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ବନ୍ଦ ପାଳନ ଅବସରରେ ୨୦ରୁ ଅଧିକ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର