ବନ୍ଦ ଯୋଗୁଁ ଅଘଟଣ: ଅଟୋରିକ୍ସାରେ ହସ୍ପିଟାଲ୍‌ ଯିବା ରାସ୍ତାରେ ପ୍ରାଣ ହରାଇଲା ଶିଶୁ

ପାଟନା: ହସ୍ପିଟାଲ ଯାଉଥିବା ସମୟରେ ଭାରତ ବନ୍ଦ ଜନିତ ରାସ୍ତା ରୋକ ହେତୁ ବାଟରେ ପ୍ରାଣ ହରାଇଲା ୨ ବର୍ଷର ଶିଶୁ କନ୍ୟା। ଶିଶୁଟିର ବାପା-ମା’ କହିଛନ୍ତି ଯେ,ଯଦି ରାସ୍ତାରୋକ ହୋଇ ନଥାନ୍ତା ତେବେ ଶିଶୁଟି ବଞ୍ଚିଯାଇ ଥାଆନ୍ତା। ଏହି ଘଟଣା ବିହାରର ଜେହେନାବାଦରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଶିଶୁଟିର ଶରୀର ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାକୁ ଏକ ଅଟୋରେ ଜେହାନାବାଦ ସିଭିଲ୍‌ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଭାରତ ବନ୍ଦ ଜନିତ ରାସ୍ତାରୋକ ହେତୁ ଟ୍ରାଫିକ୍‌ ଜାମ୍‌ ହେବାରୁ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା ଏବଂ ଶିଶୁଟି ସେଇ ଅଟୋରେ ହିଁ ପ୍ରାଣ ହରାଇଥିଲା ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରେପ ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ରହିଛି। କିନ୍ତୁ ରାସ୍ତାରୋକ ହେତୁ ଯେଉଁ ଶିଶୁଟିର ପ୍ରାଣ ଗଲା,ସେଥିପାଇଁ ଦାୟୀ କିଏ? ରାହୁଲ୍‌ ଗାନ୍ଧି ଏ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଶିଶୁ ମୃତ୍ୟୁ ରାସ୍ତାରୋକ ଯୋଗୁଁ ହୋଇଥିବାକୁ ଅସ୍ୱୀକାର କରାଯାଇଛି। ଜେହନବାଦର ଏସ୍‌ଡିଓ ପରିତୋଷ କୁମାର କହିଛନ୍ତି ଯେ ଶିଶୁ କନ୍ୟାର ପିତାମାତା ବିଳମ୍ବରେ ଡାକ୍ତରଖାନା ବାହାରି ଥିବାରୁ ଶିଶୁଟିର ମୃତ୍ୟୁ ହେଲା। ଟ୍ରାଫିକ୍‌ ସମସ୍ୟା ଶିଶୁ ମୃତ୍ୟୁର କାରଣ ନୁହେଁ।

Pixabay

ବିହାରରେ ଭାରତ ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓ ଅନ୍ୟ ୨୭ଟି ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

ସମ୍ବନ୍ଧିତ ଖବର