ଦେଶବ୍ୟାପୀ ବନ୍ଦ, ଜୀବନଯାତ୍ରା ଠପ୍‌

ନୂଆଦିଲ୍ଲୀ : ବାମ ଦଳ ସମର୍ଥିତ ଦେଶର ପ୍ରମୁଖ ୧୦ଟି ଟ୍ରେଡ୍‌ ୟୁନିଅନ୍‌ମାନଙ୍କ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦର ମିଶ୍ର ପ୍ରଭାବ ଦେଖିବାକୁ ମିଳିଥିଲା। ଆଜି ବନ୍ଦ ଯୋଗୁଁ ରେଳସେବା, ଡାକସେବା, ସଡ଼କ ପରିବହନ ଏବଂ ବ୍ୟାଙ୍କ ସେବା ସର୍ବାଧିକ ପ୍ରଭାବିତ ହୋଇଛି। ଓଡ଼ିଶା, ଆସାମ, ଗୁଜରାଟ, ଉତ୍ତରପ୍ରଦେଶ, ବିହାରରେ ମିଶ୍ର ପ୍ରଭାବ ପରିଲକ୍ଷିତ ହୋଇଥିବା ବେଳେ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ତାମିଲନାଡୁ, ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ବନ୍ଦ ଦେଖିବାକୁ ମିଳିଥିଲା। ଦେଶରେ ସଡ଼କ ପରିବହନ ଏବଂ ରେଳସେବା ବନ୍ଦ ହେବା କାରଣରୁ ଷ୍ଟେସନମାନଙ୍କରେ ବହୁ ସଂଖ୍ୟାରେ ଟ୍ରେନ୍‌ ଏବଂ ରାସ୍ତାରେ ଯାନବାହନ ଅଟକି ରହିଥିଲା। ଏହି ବନ୍ଦ କାର୍ଯ୍ୟକ୍ରମରେ ବାମଦଳ ସମର୍ଥିତ ଟ୍ରେଡ୍‌ ୟୁନିଅନମାନେ ସାମିଲ୍‌ ଥିବାବେଳେ ବିଜେପି ସମର୍ଥିତ ଭାରତୀୟ ମଜ୍‌ଦୁର ସଂଘ ସାମିଲ ହୋଇନଥିଲା।

ପଶ୍ଚିମବଙ୍ଗ ଓ କେରଳରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ବର୍ଦ୍ଧମାନ, ମାଲ୍‌ଦାରେ ଆନ୍ଦୋଳନକାରୀମାନେ ପୁଲିସ ଗାଡ଼ିରେ ନିଆଁ ଲଗାଇବା ସହ ବୋମାମାଡ଼ ଘଟଣା ନଜରକୁ ଆସିଥିଲା। ମାଲ୍‌ଦାରେ ଆନ୍ଦୋଳନକାରୀ ପୁଲିସ ଉପରକୁ ବୋମା ଫିଙ୍ଗିଥିଲେ। ଏହାର ଜବାବରେ ପୁଲିସ ରବର ଗୁଳି ଚଳାଇଥିଲା। ପଶ୍ଚିମବଙ୍ଗରେ ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ ବୋଲି ବାମଦଳର ନେତାମାନେ କହିଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ବରେ ଟିଏମ୍‌ସି କର୍ମୀମାନେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଛନ୍ତି ବୋଲି ସିପିଏମ୍‌ ପଲିଟିବ୍ୟୁରୋ ସଦସ୍ୟ ମହମ୍ମଦ ସଲିମ୍‌ କହିଛନ୍ତି। ପଶ୍ଚିମବଙ୍ଗରେ ୧୭୫ ଟ୍ରେନ୍‌କୁ ବାତିଲ କରାଯାଇଥିଲା। ଅପରପକ୍ଷେ, ଆନ୍ଦୋଳନକାରୀମାନେ ରେଳ ଧାରଣାରେ ବୋମା ଖଞ୍ଜିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ। ମାତ୍ର ଏଭଳି ଅଭିଯୋଗକୁ ବାମପନ୍ଥୀ ନେତାମାନେ ଖଣ୍ଡନ କରିଛନ୍ତି। ଅପରପକ୍ଷେ, ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ମଧ୍ୟରେ ଏଠାରେ ଟ୍ରେଡ୍‌ ୟୁନିୟନ କର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିବା ଦେଖାଯାଇଥିଲା। ତେଲେଙ୍ଗାନା, ଗୁଜରାଟ, ବିହାରରେ ବ୍ୟାଙ୍କ ଓ ପୋଷ୍ଟାଲ୍‌ ସେବା ବନ୍ଦ ରହିଥିଲା। ପାଟ୍‌ନାରେ ଅଙ୍ଗନବାଡ଼ି କର୍ମୀ ବନ୍ଦକୁ ସମର୍ଥନ ଜଣାଇ ବିକ୍ଷୋଭରେ ସାମିଲ୍‌ ହୋଇଥିଲେ। ଦିଲ୍ଲୀରେ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା। ଅପରପକ୍ଷେ, ମୋଦୀ ସରକାରଙ୍କ ଜନବିରୋଧୀ ନୀତି, ଦେଶରେ ଦରଦାମ ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀକୁ ବିରୋଧ କରି ଡାକରା ଦିଆଯାଇଥିବା ଏହି ବନ୍ଦ ସଫଳ ହୋଇଛି ବୋଲି ବାମପନ୍ଥୀ ସଂଗଠନଗୁଡ଼ିକ ଦାବି କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ବନ୍ଦକୁ ସମର୍ଥନ କରି ଟ୍ବିଟ୍‌ କରିଥିଲେ।

ସମ୍ବନ୍ଧିତ ଖବର