‘ଅଗ୍ନିପଥ’ ବିରୋଧରେ ‘ଭାରତ ବନ୍ଦ’, ୬୦୦ ଟ୍ରେନ୍ ବାତିଲ

ଦିଲ୍ଲୀରେ କଂଗ୍ରେସର ସତ୍ୟାଗ୍ରହ, ଆଜି ୩ ସେନା ମୁଖ୍ୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ‘ଅଗ୍ନିପଥ’ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର ଥିବା ବେଳେ ଏହି ଯୋଜନାକୁ ବିଭିନ୍ନ ରାଜନୈତିକ ଦଳ ସମେତ ସେନାରେ ନିଯୁକ୍ତି ଆଶାୟୀମାନେ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ କେତେକ ସଂଗଠନ ଉକ୍ତ ଯୋଜନାକୁ ପ୍ରତ୍ୟାହାର କରିବା ଦାବିରେ ସୋମବାର ଭାରତ ବନ୍ଦ ପାଳନ କରିଛନ୍ତି। ବନ୍ଦ ଡାକରା ପରିପ୍ରେକ୍ଷୀରେ ରେଳବାଇ ପକ୍ଷରୁ ପାଖାପାଖି ୬୦୦ ଟ୍ରେନ୍ ବାତିଲ କରାଯାଇଛି। ଗତ ପାଞ୍ଚଦିନ ଭିତରେ ଆନ୍ଦୋଳନକାରୀମାନେ ଅନେକ ସ୍ଥାନରେ ଟ୍ରେନ ଏବଂ ଷ୍ଟେସନରେ ନିଆଁ ଲଗାଇ ଦେଇଥିବ‌ାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ପଦକ୍ଷେପ ନିଆଯାଇଛି। ତେବେ ଆଜି ବନ୍ଦ ପାଳନ ବେଳେ କୌଣସି ବଡ଼ ଧରଣର ଗଣ୍ଡଗୋଳର ଖବର ମିଳିନାହିଁ।

‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି କଂଗ୍ରେସ ନେତାମାନେ ରାଜଧାନୀର ଜନ୍ତରମନ୍ତରଠାରେ ସତ୍ୟାଗ୍ରହରେ ବସିଛନ୍ତି। କନ୍ନଟପ୍ଲେସ୍ ନିକଟ ଶିବାଜୀ ବ୍ରିଜ ରେଳଷ୍ଟେସନଠାରେ ଟ୍ରେନ୍ ଅବରୋଧ କରିବା ଯୋଗୁ କେତେକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ଏହାର ସୀମାନ୍ତ ଅଞ୍ଚଳରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏଥିଯୋଗୁ ରାଜଧାନୀର କେତେକ ଅଞ୍ଚଳରେ ପ୍ରବଳ ଟ୍ରାଫିକ ଭିଡ଼ ଦେଖାଦେଇଛି।

ହରିଆଣା ରୋହତକ ଜିଲ୍ଲାରେ ଯୁବକମାନେ ରାସ୍ତା ଉପରେ ବିକ୍ଷୋଭ କରିଥିବା ବେଳେ କିଛି ନିଯୁକ୍ତି ଆଶାୟୀ ଫତେହାବାଦସ୍ଥିତ ଲାଲବତି ଚୌକକୁ ଅବରୋଧ କରିଥିଲେ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କେରଳ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ପଞ୍ଜାବ ଓ ରାଜସ୍ଥାନର ବହୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ଉତ୍ତରପ୍ରଦେଶ ପୁଲିସ କହିଛି ଯେ ଶାନ୍ତି ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଞ୍ଜାବରେ ଯୋଜନା ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା ପ୍ରସାରଣ କରୁଥିବା ସୋସିଆଲ ମିଡ଼ିଆ ଗ୍ରୁପ୍‌ଗୁଡ଼ିକର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ପାଇଁ ପୁଲିସକୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ଝାଡ଼ଖଣ୍ଡରେ ଅଗ୍ନିପଥ ଯୋଜନାକୁ ନେଇ ପ୍ରତିବାଦ ଭିତରେ ସୋମବାର ଦିନ ସମସ୍ତ ସ୍କୁଲ ବନ୍ଦ ରହିଛି।

‘ଅଗ୍ନିପଥ’ ଯୋଜନାରେ ତିନି ସେନାରେ ନିଯୁକ୍ତି ନିମନ୍ତେ ରବିବାର ସେନା ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ ଯେଉଁମାନେ ଯୋଜନା ବିରୋଧରେ ଆନ୍ଦୋଳନରେ ଭାଗ ନେଇଛନ୍ତି ସେମାନଙ୍କୁ ଏହି ଯୋଜନାରେ ନିଯୁକ୍ତି ମିଳିବ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଶନିବାର ପ୍ରତିଶ୍ରୁତି ଦେଇଛନ୍ତି ଯେ ଅଗ୍ନିବୀର ଭାବେ ଚାରିବର୍ଷ ସେନାରେ କାମ କରିବା ପରେ ସେହି ସେବାନିବୃତ୍ତ ଯୁବକମାନଙ୍କ ପାଇଁ ନିଯୁକ୍ତିରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ତାଙ୍କ ଗୃହନିର୍ମାଣ ଓ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅଧୀନରେ ହେଉଥିବା କେତେକ ନିଯୁକ୍ତିରେ ଅଗ୍ନିବୀରମାନଙ୍କୁ ନେବା ଲାଗି ସେ ଚିନ୍ତା କରୁଛନ୍ତି। ଗୃହମନ୍ତ୍ରୀ ପୁଣି କହିଛନ୍ତି ଯେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌) ଓ ଆସାମ ରାଇଫଲ୍‌ସରେ ନିଯୁକ୍ତି ଲାଗି ଅଗ୍ନିବୀରମାନଙ୍କ ପାଇଁ ୩ ବର୍ଷ ବୟସ କୋହଳ କରାଯିବ।

ଇତିମଧ୍ୟରେ ଏହି ଯୋଜନା ସଂପର୍କରେ ଆଜି ତିନି ସେନାର ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଅବଗତ କରାଇବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର