କୋଲକାତା: ହେଲମେଟ୍ ପିନ୍ଧିଲେ ବସ୍ ଡ୍ରାଇଭର । ବସ୍ ଗଡିବା ଆଗରୁ ହେଲମେଟ୍ ପିନ୍ଧିଛନ୍ତି ସମସ୍ତ ଡ୍ରାଇଭର । କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କାରଣ ହେଲମେଟ୍ ତ କେବଳ ବାଇକ୍ କିମ୍ବା ସ୍କୁଟି ଚଳାଇଲେ ପିନ୍ଧନ୍ତି ହେଲେ ବସ୍ ଡ୍ରାଇଭର ସିଟ୍ ବେଲ୍ଟ ନଲଗାଇ ହେଲମେଟ୍ କାହିଁକି ପିନ୍ଧିଲେ । 

Advertisment

ଆଜ୍ଞା ! ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିଛନ୍ତି ବସ୍ ଡ୍ରାଇଭର । ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅଘଟଣ ଏଡାଇବାକୁ କିମ୍ବା କେଉଁ ପ୍ରତିବାଦ ସ୍ଥଳ ଦେଇ ଗଲାବେଳେ ମାରପିଟ, ଢେଲା ପଥର ମାଡରୁ ଆତ୍ମସୁରକ୍ଷା ପାଇଁ ଏଭଳି ଅଭିନବ ଢଙ୍ଗ ଆପଣାଇଛନ୍ତି ବସ୍ ଡ୍ରାଇଭର । 

ତେବେ ପଶ୍ଚିମବଙ୍ଗ ସିଲିଗୁଡ଼ିରେ ବସ୍ ଚାଳକମାନେ ଏମିତି ହେଲମେଟ୍ ପିନ୍ଧୁଥିବା ଦେଖିବାକୁ ମିଳିଛି । ରାଜ୍ୟ ଭିତରେ ଗାଡ଼ି ଚଳାଉଥିବା ଏହି ଚାଳକମାନେ ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିଛନ୍ତି । 

ସେପଟେ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ ପକ୍ଷରୁ ଚାଲିଛି ଦେଶବ୍ୟାପୀ ଧାରଣା । ଧର୍ମଘଟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଦେଶର ୨୫ କୋଟିରୁ ଅଧିକ ଶ୍ରମିକ । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବା ଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସାମିଲ । ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ର ଡାକରା ଦେଇଛନ୍ତି । ୟୁନିଅନ ସଂଘ କହିଛି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି ।