ଆନ୍ଦୋଳନକୁ ତୀବ୍ର କଲେ କୃଷକ ସଂଗଠନ, ଡିସେମ୍ବର ୮ରେ ‘ଭାରତ ବନ୍ଦ’ ଡାକରା

ନୂଆଦିଲ୍ଲୀ :  ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ କୃଷକ ନେତାମାନେ ଆସନ୍ତା ମଙ୍ଗଳବାରଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହା ସହିତ ସରକାରଙ୍କ ସହିତ ଆଲୋଚନା ବିଫଳ ହେଲେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଆଯିବ ଓ ଖାଦ୍ୟ ଓ ଜରୁରୀ ସାମଗ୍ରୀର ଯୋଗାଣକୁ ବନ୍ଦ କରିଦିଆଯିବ ବୋଲି କୃଷକନେତାମାନେ ଧମକ ଦେଇଛନ୍ତି ।

କେବଳ ରାଜଧାନୀ ଦିଲ୍ଲୀ ନୁହେଁ, ଭାରତ ବନ୍ଦ ଦିନ ସମଗ୍ର ଦେଶରେ ଥିବା ରାଜପଥଗୁଡ଼ିକୁ ବନ୍ଦ କରିଦିଆଯିବ । ଟୋଲଗେଟ୍ ଗୁଡ଼ିକୁ ବନ୍ଦ କରିଦିଆଯିବ ଯେପରିକି ସରକାର ଟିକସ ସଂଗ୍ରହ କରିପାରିବେ ନାହିଁ ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ସରକାର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ସମ୍ପର୍କରେ କୃଷକମାନଙ୍କର ଦାବି ଉପରେ ବିଚାର କରୁଛନ୍ତି । ଏମଏସପି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେଉ ବୋଲି ସରକାର ଚାହାନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ସେ ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ ଏହି ଆନ୍ଦୋଳନ ପ୍ରତ୍ୟାହାର ଦାବି କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀକୁ ଜରୁରୀକାଳୀନ ସାମଗ୍ରୀ ଯୋଗାଣ, ମେଡିକାଲ ସେବା ପ୍ରଭାବିତ ହେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ଗତକାଲି ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ହୋଇଥିବା ୪ର୍ଥ ପର୍ଯ୍ୟାୟ ଆଲୋଚନାରେ କେତେକ ସକାରାତ୍ମକ ଫଳ ମିଳିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ଆସନ୍ତା କାଲି ପୁଣି ଥରେ ଆଲୋଚନା ହେବ ।

ସମ୍ବନ୍ଧିତ ଖବର