ଭୁବନେଶ୍ବର: ଆସନ୍ତାକାଲି ଭାରତ ବନ୍ଦ । ୬ ବର୍ଷ ଭିତରେ ହୁଏତ ପ୍ରଥମ ଥର ପାଇଁ ମୋଦୀ ସରକାର ସବୁଠାରୁ ବଡ଼ ଆନ୍ଦୋଳନକୁ ସାମ୍ନା କରିବାକୁ ଯାଉଛନ୍ତି । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଚାଷୀମାନେ ଚକା ଜାମ କରିବା ଚେତାବନୀ ଦେଇଥିବାରୁ ଆସନ୍ତାକାଲି ପରିବହନ ସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ଭାରତ ବନ୍ଦ ଆନ୍ଦୋଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ପରବର୍ତ୍ତୀ ସମୟରେ ଦିନ ୧୧ଟାରୁ ଚକାଜାମ୍ କରାଯିବ ବୋଲି କୁହାଯାଇଛି। ମାତ୍ର ଅନ୍ୟ ଦିନ ଭଳି ସକାଳୁ ଚକାବନ୍ଦ ଓ ରାସ୍ତାରୋକ ହେବାର ଆଶଙ୍କାକୁ ଅସ୍ବୀକାର କରି ହେବନାହିଁ।
ଭାରତ ବନ୍ଦ : କ’ଣ ରହିବ ବନ୍ଦ ?
– କ୍ଷୀର, ଫଳ ଓ ପନିପରିବା ପହଂଚିବାରେ ବାଧା ସୃଷ୍ଟି ହେବ
– ସକାଳ ୮ରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଗାଡି ଚଳାଚଳ
– ବସ, ଟ୍ରେନ ସେବା ଓ ଟ୍ରକରେ ମାଲ ପରିବହନ ହେବ ପ୍ରଭାବିତ
– ପଞ୍ଜାବ, ହରିଆଣା ଓ ରାଜସ୍ଥାନରେ ବନ୍ଦ ରହିବ ସମସ୍ତ ମଣ୍ଡି
– କ୍ୟାବ ଓ ଟାକ୍ସି ସଂଗଠନର ସମର୍ଥନ ଯୋଗୁଁ ପ୍ରଭାବିତ ହେବ ସେବା
– ଚାଷୀ ଆନ୍ଦୋଳନକୁ କେତେକ ବ୍ୟାଙ୍କ ସଂଗଠନର ସମର୍ଥନ
ତେବେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଅନୁରୋଧ କରିଛନ୍ତି ଚାଷୀ ସଂଗଠନ । ତେଣୁ ଆସନ୍ତାକାଲି ବନ୍ଦବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯାଇଛି ।
ଭାରତ ବନ୍ଦରୁ କ’ଣ ବାଦ୍ ?
– ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାକୁ ବାଦ୍
– ଖୋଲା ରହିବ ଔଷଧ ଦୋକାନ
– ଖୋଲିବ ହସ୍ପିଟାଲ, ଜାରି ରହିବ ଚିକିତ୍ସା ସେବା
– ବିବାହ ଉତ୍ସବ ଉପରେ ରହିବନି କଟକଣା
ଚାଷୀଙ୍କ ଭାରତ ବନ୍ଦ ଓ ଏହାକୁ ବିରୋଧୀଙ୍କ ସମର୍ଥନକୁ ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ମଙ୍ଗଳବାର ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଂଚଳ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବା ସହ କୋଭିଡ ନିୟମ ପ୍ରତି ଦୃଷ୍ଟି ଦେବାକୁ ଏଥିରେ କୁହାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବାକୁ କୁହାଯାଇଛି ।